spot_img

Latest Posts

ଅଜୟଙ୍କ ବଙ୍ଗଳା ଉପରେ BMCର ଆକ୍ସନ, ବିନା ଅନୁମତିରେ ଚାଲିଥିଲା ନିର୍ମାଣ କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ଼ର ସିଂଘମ ଅଜୟ ଦେବଗନ । ଏଥର କିନ୍ତୁ ଲାଇମଲାଇଟକୁ ଆସିବା କାରଣ କୌଣସି ଫିଲ୍ମ ନୁହେଁ ବରଂ ଜୁହୁ ସ୍ଥିତ ଏକ ବଙ୍ଗଳା ଅଟେ । ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ (BMC) ଅଜୟ ଦେବଗନଙ୍କ ବଙ୍ଗଳାରେ ହେଉଥିବା ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କିଛି ଅଂଶକୁ ଭାଙ୍ଗି ଦେଇଛି । ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ଆଇନର ଧାରା ୩୫୪-ଏ ଅନୁଯାୟୀ ଏକ ନୋଟିସ୍ ଜାରି କରାଯାଇଥିଲା, ଯେଉଁଥିରେ କାମ ବନ୍ଦ କରିବା ସହ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ନେଇ ନିର୍ଦ୍ଦେଶ ଦିଆଯାଇଥିଲା। ନୋଟିସ ସତ୍ତ୍ୱେ, ବଙ୍ଗଳାର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଯାହା ଫଳରେ ଏପରି ଆକ୍ସନ୍ ନେଇଛି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ।

ଅଜୟ ଦେବଗନଙ୍କ ଏହି ବିବାଦୀୟ ବଙ୍ଗଳା ଜୁହୁର କପୋଲ କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ରହିଥିବା ବେଳେ ଏହା ୭,୮୦୨ ସ୍କୋୟାର ଫୁଟ୍ ଏରିଆରେ ଅବସ୍ଥିତ । ଅଜୟଙ୍କ ପରିବାର ଚଳିତ ବର୍ଷ ଅଗଷ୍ଟ ମାସରେ ୧୦୧.୬୧ କୋଟି ଟଙ୍କାରେ ପାଞ୍ଚ ବର୍ଷ ପାଇଁ ଏହି ବଙ୍ଗଳାକୁ ଫ୍ଲୋରିଆନ୍ ହୁରେଲ୍ ସାଲୋନ୍ ପ୍ରାଇଭେଟ୍ ଲିମିଟେଡ୍ କୁ ଲିଜ୍ ଦେଇଥିଲେ। ତେବେ ପ୍ରତି ମାସ ପାଇଁ ଭଡ଼ା ୧୬ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସୂଚନା ଅନୁଯାୟୀ, ଏହି ବଙ୍ଗଳା ଭିତରେ ସେଲୁନ୍ ସହ କମରସିଆଲ୍ ବ୍ୟବହାର ପାଇଁ ନିର୍ମାଣ କାର୍ଯ୍ୟ କରାଯାଉଥିଲା।  ବିଏମସି ପ୍ରପୋଜାଲ ଡ଼ିପାର୍ଟମେଣ୍ଟର ବିନା ଅନୁମତିରେ ସେଠାରେ ସେଲୁନ୍ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଥିଲା । ଏନେଇ କୌଣସି ଅନୁମତି ଦିଆଯାଇ ନଥିଲା। ବାସ୍ତବରେ, ବଙ୍ଗଳା କାର୍ଯ୍ୟ ତୁରନ୍ତ ବନ୍ଦ କରିବା ସହ ୨୪ ଘଣ୍ଟା ମଧ୍ୟରେ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକୀୟ ଅନୁମୋଦନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନୋଟିସରେ ଉଲ୍ଲେଖ କରାଯାଇଥିଲା ଯେ, ସିପୋରେକ୍ସ ବ୍ଲକ୍ ସମ୍ପର୍କରେ ଅନଧିକୃତ କାର୍ଯ୍ୟ କରାଯାଉଛି। ଦେବଗନ୍ ପରିବାର ଫ୍ଲୋରିଆନ୍ ହୁରେଲ୍ ସାଲୁନ୍ ପ୍ରାଇଭେଟ୍ ଲିମିଟେଡ୍ କୁ ବଙ୍ଗଳା ଭଡ଼ା ଦେବା ପାଇଁ ଏକ ନୋ-ଅବଜେକ୍ସନ୍ ସାର୍ଟିଫିକେଟ୍ ମାଗିଥିଲେ। ଚଳିତବର୍ଷ ଜୁଲାଇ ୨୨ରେ, ସୋସାଇଟିର ତତ୍କାଳୀନ ଅଧିକୃତ ଅଧିକାରୀଙ୍କ ଠାରୁ ଏକ ଚିଠି ନିଶ୍ଚିତ କରିଥିଲା ​​ଯେ, ବୀଣା ବୀରେନ୍ଦ୍ର ଦେବଗନ୍ ଓ ଅଜୟ ଦେବଗନ୍ ସମ୍ପତ୍ତିର ଆଇନଗତ ମାଲିକ । ଏଥିରେ ଏହାକୁ ଲିଜ୍ ଦେବା ନେଇ ସୋସାଇଟିକୁ କୌଣସି ଆପତ୍ତି ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା ।

ତଥାପି, ସୋସାଇଟି ଯୁକ୍ତି କରିଥିଲା ଯେ, ଏନ.ଓ.ସିରେ ଲିଭ୍-ଏଣ୍ଡ-ଲାଇସେନ୍ସ ଆଧାରରେ ବଙ୍ଗଳାକୁ ଭଡ଼ା ନେବାକୁ ଅନୁମତି ଦେଇଥିଲା, କିନ୍ତୁ ଆବାସିକ ବ୍ୟବହାରରୁ ବାଣିଜ୍ୟିକ ବ୍ୟବହାର କିମ୍ବା ଗଠନମୂଳକ ଓ ସେବା-ସମ୍ବନ୍ଧୀୟ ପରିବର୍ତ୍ତନକୁ ଅନୁମତି ଦିଆଯାଇନଥିଲା।

 

Latest Posts

Don't Miss