ଓଡ଼ିଆଙ୍କ ଭାବାବେଗ ସହ ଖେଳ ଅପରାଜିତା ଓ ଧର୍ମେନ୍ଦ୍ରଙ୍କୁ ପଡିବ ମହଙ୍ଗା: ପାଣ୍ଡିଆନ

1 min read

ଭୁବନେଶ୍ବର: ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ସ୍ବାଭିମାନ ଓ ଗାରିମା । ପୁରୀ ବିକାଶ ଓଡ଼ିଶା ଐତିହ୍ୟର ବିକାଶ । ହେଲେ ରାଜନୀତିର ମହୋରେ ଅନ୍ଧ ହୋଇଯାଇଛନ୍ତି ରାଜ୍ୟ ବିଜେପି ନେତା । ରାଜନୈତିକ ଫାଇଦା ଓ ଶାସକ ଦଳକୁ ନିଚା କରିବା ପାଇଁ ବାରମ୍ବାର ନିନ୍ଦନୀୟ ଆଚରଣ କରୁଛନ୍ତି । ଏପରିକି ଶ୍ରୀମନ୍ଦିର ଚତୁର୍ପାଶ୍ବ ବିକାଶ ଓ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବାକୁ ବି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଛାଉନାହାନ୍ତି । ହେଲେ ଓଡ଼ିଆଙ୍କ ଭାବାବେଗ ସହ ଖେଳ ଏମାନଙ୍କୁ ପଡ଼ିବ ଭାରି । ପୁରୀ ଭୋଟର ଏହାର ଜବାବ ଦେବେ ଭୋଟରେ ।

ସେହିପରି ଅପରାଜିତାଙ୍କ ମଠ ରାଜନୀତିର ଖୁଲାସା କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ତଥ୍ୟ ପ୍ରମାଣ ସହ ଅପରାଜିତାଙ୍କୁ ପାଣ୍ଡିଆନ ଦେଇଛନ୍ତି ଶକ୍ତ ଜବାବ । ଖୋଲିଯାଇଛି ବିଜେପି ମିଛ ପ୍ରଚାରର ଗୁମର । ପୁରୀ ବିକାଶରେ ବାଧକ ସାଜିଥିଲା ଅପରାଜିତାଙ୍କ କୁଶ୍ଚିତ ମନ । କେବଳ ସେ ନୁହେଁ ଶ୍ରୀମନ୍ଦିର ଚତୁପାର୍ଶ୍ବର ଉନ୍ନତ୍ତିକରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସାଜିଥିଲେ କଣ୍ଟା । କିନ୍ତୁ ମୁଖ୍ଯମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି ପାଇଁ ମଙ୍ଗୁ ମଠର ପୁନରୁଦ୍ଧାର ସମ୍ଭବ ହୋଇଛି । ଏପରିକି ମହାପ୍ରଭୁଙ୍କ ବିରୋଧୀଙ୍କୁ ସଦ୍ଦବୁଦ୍ଧି ଦେବାକୁ ପ୍ରାର୍ଥନା କରିଛନ୍ତି ପାଣ୍ଡିଆନ୍ ।

ସୂଚନାଯୋଗ୍ୟ, ମଙ୍ଗୁ ମଠର ଗର୍ଭଗୃହ ଉପରେ ଏକ ପାଇଖାନା ରହିଥିଲା । ଏହାର ଚାରିପାଖ ମାଳ ମାଳ ଚପଲ ଷ୍ଟାଣ୍ଡ ଥିଲା । ଫଳରେ ମଠ ମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପବିତ୍ରତା ଲୋପ ପାଉଥିଲା । ଏବେ ଚମକୁଛି  ଶ୍ରୀମନ୍ଦିର ଚାରିପାଖ । ଐତିହ୍ୟର ପୁନଃରୁଦ୍ଧାର ପରେ ଫେରିଛି ପବିତ୍ରତା ।

ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପିର ତୁଙ୍ଗ ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି, ତା‘ଉପରେ ଉତ୍ତର ଦେବାକୁ ଯାଇ ପାଣ୍ଡିଆନ ଏକ ଭିଡିଓ ଜାରି କରିଛନ୍ତି । ଭୁବନେଶ୍ବର ସାଂସଦ ଅପରାଜିତା ପୁରୀରେ ମଠ ଭଙ୍ଗା ଯାଇଥିବା ଅଭିଯୋଗ ଆଣି ମିଛ ପ୍ରଚାର କରୁଛନ୍ତି । ଏହାର ଉତ୍ତର ଦେଇ ପାଣ୍ଡିଆନ କହିଛନ୍ତି, ପୁରୀରେ କୌଣସି ମଠ ଭଙ୍ଗା ଯାଇନାହିଁ । ଓଲଟି ମଠ ଓ ମନ୍ଦିରର ପବିତ୍ରତା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି । ମଙ୍ଗୁ ମଠ ଭଳି ପବିତ୍ର ସ୍ଥାନ ଯେଉଁଠାରେ ଗୁରୁନାନକ ଜଗନ୍ନାଥଙ୍କ ଆରାଧନା କରିଥିଲେ, ତାହାର ପୁନଃରୁଦ୍ଧାର କେମିତି ଐତିହ୍ୟର ଅପମାନ ହେଲା ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ଓଡ଼ିଶା ସଂସ୍କୃତି ଓ ଐତିହର ବିକାଶ ପାଇଁ ସଦାସର୍ବଦା ଚେଷ୍ଟିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ବିଭିନ୍ନ ମଠ ମନ୍ଦିରକୁ ଦିଆଯାଇଛି ନୂଆ ରୂପ l ପୁରୀରେ ସମସ୍ତ ସେବାୟତ, ପୁରୀ ବାସିନ୍ଦା ଓ ଭକ୍ତ ଏହାକୁ ସ୍ୱାଗତ କରୁଥିବା ବେଳେ ବିଜେପିର କିଛି ତୁଙ୍ଗ ନେତା ନିର୍ବାଚନ ସମୟରେ ଏହି ପ୍ରସଙ୍ଗ ଉଠାଇବା ଅତ୍ୟନ୍ତ ନିନ୍ଦନୀୟ l

ଶ୍ରମନ୍ଦିର ଚାରିପାଖର ନବୀକରଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଭକ୍ତମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା କରି ଭିନ୍ନ ଅନୁଭୂତି ସାଉଁଟୁଛନ୍ତି  l ବିଜେପିର ଏହି ମିଛ ପ୍ରସଙ୍ଗ ଓ ମହାପ୍ରଭୁଙ୍କୁ ନେଇ ଅପପ୍ରଚାରର ଜବାବ୍ ଓଡ଼ିଶାବାସୀ ଭୋଟରେ ଦେବେ ବୋଲି କୁହାଯାଉଛି ।