ନା ନା ଭିତରେ ନୂଆ ସମ୍ଭାବନା: ନିରାଶା ଭିତରେ ଆଶା ସଞ୍ଚାର କଲେ କି ସୋନିଆ?
1 min read୨୦୧୯ ଲୋକସଭା ନିର୍ବାଚନ ପରଠାରୁ ମୁହଁମାଡ଼ି ପଡ଼ିଥିବା କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସଦ୍ୟ ନିର୍ବାଚନ ଫଳାଫଳ ଏହି ଶତାୟୁ ଦଳ ମନରେ ଆଶା ଜଗାଇଛି । ୨ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣାରେ ଦଳ ସରକାରକୁ ଫେରିପାରିନି । କିନ୍ତୁ ଯେତିକି ଆସନ ଜିତିଛି ତାହା ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛି । ବିଜେପିର ହାଇଭୋଲ୍ଟେଜ୍ ପ୍ରଚାର ସହ ଅମିତ ଶାହଙ୍କ କ୍ଷମତା ହାତେଇବା କୁଟନୀତି ଭିତରେ ଚାପି ହୋଇଯାଇଥିଲା କଂଗ୍ରେସ । ତା ସହିତ ଏକଜିଟ୍ ପୋଲ୍ରେ ବିଜେପିକୁ ଜବରଦସ୍ତ ଫଳ ମିଳିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଂଗ୍ରେସର ଯୁଗ ଶେଷ ହୋଇଗଲା ବୋଲି ବିରୋଧୀମାନେ କହିବୁଲିଲେ । କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ଅସହାୟ ଅନୁଭବ କରୁଥିଲେ । ମାତ୍ର ନିର୍ବାଚନ ଫଳାଫଳ ଦଳ ମଧ୍ୟରେ ପୁଣି ଆଶା ସଞ୍ଚାର କରିଛି ।
ମହାରାଷ୍ଟ୍ର ଓ ହରିୟାଣାରେ ଦଳକୁ ଆଶାଠୁ ଅଧିକ ଆସନ ମିଳିଛି । ଉଭୟ ରାଜ୍ୟରେ ଦଳର ଭୋଟ୍ ପ୍ରତିଶତ ମଧ୍ୟ ବଢ଼ିଛି । ୪ ମାସ ତଳେ ଯେଉଁ ଦୁଇଟି ରାଜ୍ୟ ଦଳକୁ ଜୋର୍ଦାର ଝଟ୍କା ଦେଇଥିଲା ସେହି ଦୁଇ ରାଜ୍ୟର ଭୋଟର ଏତେଶୀଘ୍ର ଏଭଳି ସମ୍ଭାବନାର ବୀଜ ବୁଣିବେ ତାହା ବିଶ୍ୱାସ କରିପାରୁନାହାନ୍ତି କଂଗ୍ରେସ ନେତା । ୧୮ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ଦଳ ଭଲ କରିଛି । ବିଶେଷକରି ବିଜେପିର ନଂ ଓ୍ୱାନ ଯ଼ୋଡ଼ି ମୋଦି-ଶାହଙ୍କ ଗୃହରାଜ୍ୟରେ ଦଳ ଭଲ କରି କ୍ଷମତାସୀନ ଦଳ ମନରେ ନୂଆ ଆଶଙ୍କା ଭରିଛି । ଉତ୍ତର ପ୍ରଦେଶର ୧୧ଟି ଆସନରେ ହୋଇଥିବା ଉପନିର୍ବାଚନରେ ଦଳ ଗୋଟିଏ ବି ଆସନ ଜିତିପାରିନି । କିନ୍ତୁ ୨ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଛି । କେବଳ ସେତିକି ନୁହେଁ, ପୂର୍ବ ନିର୍ବାଚନ ତୁଳନାରେ ଦଳର ଭୋଟ୍ ହାର ୨ ଗୁଣ କରାଇପାରିଛି । ଉତ୍ତର ପ୍ରଦେଶରେ ପ୍ରିୟଙ୍କାଙ୍କ ରଣନୀତି ସଫଳ ହେବ ବୋଲି ଦଳ ଆଶା ବାନ୍ଧିଛି । ମଧ୍ୟପ୍ରଦେଶରେ ଗୋଟିଏ ଆସନ ଜିତିବା ପରେ ସେଠାରେ କମଳନାଥ ସରକାର ବହୁମତ ପାଇପାରିଛି ।
ସଦ୍ୟ ନିର୍ବାଚନର ଅଳ୍ପ ସଫଳତା କଂଗ୍ରେସ ପାଇଁ ଲେଡି ଲକ୍ ବୋଲି କୁହାଯାଉଛି । ରାହୁଲ ଗାନ୍ଧୀ ଦଳର ସଭାପତି ଥାଇ ଯାହା କରିନପାରିଲେ ସୋନିଆ ଗାନ୍ଧୀ ଆସୁ ଆସୁ ତାହା ମନକୁ ମନ ହୋଇଗଲା । କାର୍ଯ୍ୟକାରୀ ସଭାପତି ଭାବେ ସୋନିଆ କୈାଣସି ଗୋଟିଏ ବି ନିର୍ବାଚନୀ ସଭାରେ ଯ଼ୋଗ ଦେଇନଥିଲେ । କିନ୍ତୁ ଦଳକୁ ସଫଳତା ମିଳିଲା । ତେଣୁ ଏହାକୁ କଂଗ୍ରେସର ଲେଡି ଲକ୍ କୁହାଯିବନି ତ ଆଉ କ’ଣ ? ଦେଖାଯାଉ ଏହି ଲକ୍ ଭବିଷ୍ୟତରେ କେତେ ସଫଳ ହେଉଛି ।
– ବିନୋଦିନୀ ରାଉଳ
')}