ଆସନ୍ତା ଡିସେମ୍ବର ୨୭ରୁ ଧନୁଯାତ୍ରା, କଂସ ପାଇଁ ଫର୍ମ ପୂରଣ କଲେ ୧୩ ଜଣ

ବରଗଡ: ଆସନ୍ତା ଡିସେମ୍ବର ୨୭ରୁ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ କମ୍ପିବ ବରଗଡ଼ । ଏଥିପାଇଁ ଏବେଠୁ ବରଗଡ଼ ଜିଲ୍ଲାବାସୀଙ୍କ ମନରେ ଦେଖିବାକୁ ମିଳିଲାଣି ଉତ୍ସାହ । ଧନୁଯାତ୍ରାରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ଆଜି ଫର୍ମ ପୂରଣ ହୋଇଛି ।

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଲାଗିଛି କଳାକାରଙ୍କ ଭିଡ଼ । ପୂର୍ବତନ କଂସ ହୃଷୀକେଶ ଭୋଇ ଆଜି ଫର୍ମ ଦାଖଲ କରିଛନ୍ତି । ସେହିପରି ଦୀର୍ଘ ୨୩ ବର୍ଷ ଧରି କଂସ ମହାରାଜା ଭୂମିକାରେ ଅଭିନୟ କରିଥିବା ଗୋପାଳ ସାହୁ ବି ଫର୍ମ ଦାଖଲ କରିଛନ୍ତି । ଏହି ଦୁଇ ଜଣଙ୍କୁ ବାଦ ଦେଲେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଭୁବନେଶ୍ବର ପ୍ରଧାନ ଫର୍ମ ଦାଖଲ କରିବେ ବୋଲି ଜଣାପଡିଛି ।

ବରଗଡ଼ର ଧନୁଯାତ୍ରା ତାରିଖ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମନରେ ଉତ୍କଣ୍ଠା ସେତିକି ଦେଖିବାକୁ ମିଳିଛି । କିଏ ହେବ କଂସ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କଂସ ମହାରାଜ ଭୂମିକାରେ ଅଭିନୟ ପାଇଁ ଆଜି ସୁଦ୍ଧା ପ୍ରାୟ ୧୩ ଜଣ, ମହାମନ୍ତ୍ରୀ ପାଇଁ ୩ ଜଣ, ମହାମନ୍ତ୍ରୀ ସାତ୍ୟକୀ ପାଇଁ ୪ ଜଣ, ଚାଣୁର ପାଇଁ ୫ ଜଣ, ମୁଷ୍ଟିକ ପାଇ ୨ ଜଣ, ଅକ୍ରୁର ପାଇଁ ୪ଜଣ, ଉଗ୍ରସେନ ପାଇଁ ୨ ଜଣ, ବସୁଦେବ ଚରିତ୍ର ପାଇଁ ୩ ଜଣ, ନାରଦ ଚରିତ୍ର ପାଇଁ ୪ ଜଣ ଫର୍ମ ଦାଖଲ କରିଛନ୍ତି ।