ଟିମ୍ ଇଣ୍ଡିଆ ପ୍ଲେଇଂ-୧୧ରେ କିଏ ପାଇବେ ସ୍ଥାନ ?

1 min read

ଦୁବାଇ: ଏସିଆ କପରେ ଆଜି ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ପାକିସ୍ତାନକୁ ଭେଟିବାକୁ ଯାଉଛି । ପ୍ରଥମ ମ୍ୟାଚରେ ଭାରତ ଜମଦାର ବିଜୟ ହାସଲ କରିଥିବା ବେଳେ ପୁଣି ଥରେ ଧରାଶାୟୀ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ଦୀର୍ଘ ୪ ବର୍ଷ ପରେ ମାତ୍ର ୮ ଦିନ ବ୍ୟବଧାନରେ ଭାରତ ପାକିସ୍ତାନ ପରସ୍ପରକୁ ଦ୍ବିତୀୟ ଥର ଭେଟିବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୧୮ରେ ଏସିଆ କପରେ ଏମିତି ହୋଇଥିଲା ଓ ଦୁଇଟି ଯାକ ମ୍ୟାଚ୍ ଭାରତ ଜିତିଥିଲା ।

ଖେଳ ଆରମ୍ଭ ହେବାକୁ ଆଉ ଅଳ୍ପ ସମୟ ବାକି ଥିବା ବେଳେ ଉଭୟ ଟିମଙ୍କ ପ୍ରଶଂସକଙ୍କ ହାର୍ଟ ବିଟ୍ ବଢ଼ିବାରେ ଲାଗିଛି । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ପିଚ୍ କେମିତି କାମ କରିବ ? ଉଭୟ ଟିମର ସାମ୍ଭାବ୍ୟ ପ୍ଲେଇଂ-୧୧ କ’ଣ ରହିବ ?

ନମ୍ବର-୪ ବ୍ୟାଟ୍ସମ୍ୟାନ ଗୁରୁତ୍ବପୂର୍ଣ୍ଣ

କେବଳ ଭାରତ-ପାକିସ୍ତାନ ମ୍ୟାଚ୍ ନୁହେଁ, ପ୍ରତି ମ୍ୟାଚରେ ୪ ନମ୍ବର ବ୍ୟାଟ୍ସମ୍ୟାନଙ୍କ ଭୁମିକା ବେଶ ଗୁରୁତ୍ବପୂର୍ଣ୍ଣ । ନମ୍ବର-୪ ଖେଳାଳିଙ୍କ ପ୍ରଦର୍ଶନ ହିଁ ବହୁମାତ୍ରାରେ ଟିମ୍ ଜିତିବା ଓ ହାରିବାକୁ ସ୍ଥିର କରିଥାଏ । ଯାହା ଶେଷ ଭାରତ ଓ ପାକିସ୍ତାନ ମ୍ୟାଚରୁ ଦେଖି ପାରିଥିବେ । ରବୀନ୍ଦ୍ର ଜାଡେଜା ୪ ନମ୍ବରରେ ଖେଳିବାକୁ ଆସି କେମିତି ମ୍ୟାଚ୍ ଜିତାଇଥିଲେ । କୁହାଯାଏ ୪ ନମ୍ବରରେ ଖେଳିବାକୁ ଆସୁଥିବା ପ୍ଲେୟାର ପାଖରେ ଚାପରେ ଖେଳିବାର କ୍ଷମତା ଥିବା ଦରକାର । ଦଳ ଭଲ ପ୍ରଦର୍ଶନ କରିଥାଉ କି ଖରାପ ପ୍ରଦର୍ଶନ, ମ୍ୟାଚ୍ ସମୟରେ ଚାପର ମୁକାବିଲା କରିବାର ଦକ୍ଷତା ନମ୍ବର-୪ ଖେଳାଳି ପାଖରେ ଥିବା ଦରକାର । ଯଦି ଭାରତ କଥା କହିବା ତେବେ ସୂର୍ଯ୍ୟକୁମାର ଯାଦବ ଏମିତି ଜଣେ ଖେଳାଳି ଯେ, ଚାପରେ ଖେଳି ଦଳକୁ ଏକା ଏକା ଜିତାଇବାର କ୍ଷମତା ରଖନ୍ତି । ଯାହା ସେ ଆପିଏଲ ଦେଖାଇ ସାରିଛନ୍ତି । ଏପରିକି ଏସିଆ କପର ହଂକଂ ବିପକ୍ଷ ମ୍ୟାଚ୍ ଏହାର ଏକ ଭଲ ଉଦାହରଣ ।

କେମିତି ରିଆକ୍ଟ କରିବ ପିଚ୍ ?

ସୁପର-୪ ରାଉଣ୍ଡର ଏହି ମ୍ୟାଚ୍ ଉଭୟ ଦେଶ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳ ଆରମ୍ଭ ହେବ । ଦୁବାଇ ପିଚରେ ଖେଳ ଆରମ୍ଭରୁ ରନ୍ କରିବା କଷ୍ଟକର ହେଉଥିବା ଦେଖିବାକୁ ମିଳିଛି । ଶେଷ ୫ରୁ ୬ ଓଭରରେ ପିଚରୁ ଚୌକା ଓ ଛକାର ବର୍ଷା ହେଉଛି । ଏହି ପିଚ୍ ସ୍ପିନର ଫ୍ରାଣ୍ଡଲି ହୋଇଥିଲେ ବି ଏସିଆ କପରେ ଫାଷ୍ଟ ବୋଲରଙ୍କ କମାଲ ମଧ୍ୟ ଦେଖିବାକୁ ମିଳିଛି । ଏମିତି ସ୍ଥିତିରେ ଟସ୍ ଜିତିଥିବା ଟିମ୍ ପ୍ରଥମେ ଫିଲ୍ଡିଂ କରିବାକୁ ଚିନ୍ତା କରିପାରେ ।

ଉଭୟ ଟିମ୍ ପ୍ଲେଇଂ-୧୧ରେ କରିବେ ପରିବର୍ତ୍ତନ

ସୁପର-୪ ମ୍ୟାଚ୍ ପୂର୍ବରୁ ଉଭୟ ଭାରତ ଓ ପାକିସ୍ତାନକୁ ଏକାଧିକ ଝଟକା ଲାଗିଛି । ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଟୁର୍ଣ୍ଣାମେଟରୁ ବାଦ ପଡିଛନ୍ତି । ଅବେଶ ଖାନ୍ ମଧ୍ୟ ଏହି ମ୍ୟାଚରେ ଖେଳିବା ଭଳି ଲାଗୁନି । ସେହିପରି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟିମକୁ ବି ଝଟକା ଲାଗିଛି । ଫାଷ୍ଟ ବୋଲର ଶାହନଓ୍ବାଜ ଦହାନୀ ଆହତ କାରଣରୁ ଟିମରୁ ବାହାର ହୋଇଛନ୍ତି । ତାଙ୍କ ପୂର୍ବରୁ ଶାହୀନ ଆଫ୍ରିଦ ଓ ମହମ୍ମଦ ଓ୍ବସୀମ ଜୁନିୟର ମଧ୍ୟ ଆହତ କାରଣରୁ ଏସିଆ କପରୁ ବାହାର ହୋଇଛନ୍ତି । ଏମିତି ସ୍ଥିତିରେ ଆଜି ମ୍ୟାଚରେ ଉଭୟ ଟିମ୍ ପ୍ଲେଇଂ-୧୧ରେ ପରିବର୍ତ୍ତନ କରିବା ନିଶ୍ଚିତ ।

ସାମ୍ଭବ୍ୟ ପ୍ଲେଇଂ-୧୧

ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ଆର. ଆଶ୍ବିନୀ, ଅର୍ଶଦୀପ ସିଂ ଏବଂ ୟୁଜବେନ୍ଦ୍ର ଚହଲ ।

ପାକିସ୍ତାନ: ବାବାର ଆଜମ (ଅଧିନାୟକ), ମହମ୍ମଦ ରିଜଓ୍ବାନ, ଫଖର ଜମାନ, ଇଫ୍ତିଖାର ଅହମ୍ମଦ, ଖୁସଦିଲ ଶାହ, ଶାଦାବ ଖାନ୍, ଆସିଫ ଅଲ୍ଲୀ, ମହମ୍ମଦ ନଓ୍ବାଜ, ହସନ ଅଲ୍ଲୀ, ହାରିସ୍ ରଉଫ ଏବଂ ନସୀମ ଶାହ ।