ସ୍ତ୍ରୀ-ଝିଅକୁ ବନ୍ଦୀ କରିରଖିଥିଲେ CRPF ଯବାନ, ଏବେ ଜୀବନ ହାରିଲେ

1 min read

ଯୋଧପୁର: ରାଜସ୍ଥାନର ଯୋଧପୁରରେ ନିଜ ପରିବାରକୁ ବନ୍ଦୀ କରି ରଖିଥିବା ସିଆରପିଏଫ୍ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଏନେଇ ପୋଲିସ କମିଶନର ରବିଦତ୍ତ ଗୌଡ ସ୍ପଷ୍ଟ କରିଛନ୍ତି । ଏହି ଯବାନ ଜଣଙ୍କ ପ୍ରାୟ ୧୮ ଘଣ୍ଟା ଧରି ନିଜ ପତ୍ନୀ ଓ ୮ ମାସର ଝିଅକୁ ଘରେ ବନ୍ଦ କରି ରଖିଥିଲେ । ଖାଲି ଏତିକି ନୁହେଁ ବାଲକୋନିକୁ ଯାଇ ବାରମ୍ବାର ଫାଙ୍କା ଗୁଳି ଚାଳନା କରୁଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

ସୂଚନା ଅନୁଯାୟୀ, ଯୋଧପୁରର ସିଆରପିଏଫ୍ ଟ୍ରେନିଂ ସେଣ୍ଟରରେ ଅବସ୍ଥାପିତ ନରେଶ ଜାଟ୍ ରବିବାର ସନ୍ଧ୍ୟା ୫ଟା ସମୟରେ ପରିବାର ସମେତ ନିଜକୁ ସରକାରୀ କ୍ୱାଟରରେ ବନ୍ଦ କରି ଦେଇଥିଲେ । ଏପରିକି ୧୭ ଘଣ୍‌ଟା ଯାଏଁ କାହା ସହିତ କଥାବାର୍ତ୍ତା କରିନଥିଲେ । ବରଂ ବାଲକୋନିକୁ ଯାଇ ବାରମ୍ବାର ଫାଙ୍କା ଗୁଳି ଚାଳନା କରିଥିଲେ । ପରିବାର ସଦସ୍ୟ ଓ ଅଧିକାରୀମାନେ ବୁଝାସୁଝା କରିଥିଲେ ବି କୌଣସି ରେସପୋନ୍ସ ମିଳିନଥିଲା ।

ଯବାନ ନରେଶ କହିଥିଲେ- ତାଙ୍କର କାହା ଉପରେ ଭରସା ନାହିଁ । କେବଳ ସିଆରପିଏଫ୍ ଆଇଜିଙ୍କ ସହ କଥା ହେବେ, ଯିଏକି ଦିଲ୍ଲୀରେ ନିୟୋଜିତ ଅଛନ୍ତି। ତୁରନ୍ତ ଦିଲ୍ଲୀ ଫୋନ୍ କରାଯିବା ପରେ କାଳବିଳମ୍ବ ନକରି ଆଇଜି ବିକ୍ରମ ସେହଗଲ୍ ଯୋଧପୁର ଅଭିମୁଖେ ବାହାରିଥିଲେ । କିନ୍ତୁ ସେତେବେଳେକୁ ସବୁ ସରି ଯାଇଥିଲା ।

ତେବେ ସେ ଏଭଳି କ’ଣ ପାଇଁ କଲେ ସେନେଇ କାରଣ ଜଣାପଡିନାହିଁ ।