ବୃଦ୍ଧ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡା, ସମାଧାନ କଲେ ପୋଲିସ ବାବୁ

1 min read

ଗୋଣ୍ଡା: ଆଜିକା ସମୟରେ ସୋସିଆଲ୍ ମିଡିଆରେ ବହୁ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଯାହାକୁ ଦେଖିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ତ ଆଉ କେତେବେଳେ ହସିହସି ବେଦମ ହୋଇଥାନ୍ତି ୟୁଜର୍ସ। କେହି ସମାଲୋଚନା ହେଉଥିବା ବେଳେ ଆଉ କେହି ପ୍ରଶଂସିତ ହୋଇଥାନ୍ତି । ଆଉ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆଚମ୍ବିତ ହୋଇଯିବେ ।

ଉତ୍ତରପ୍ରଦେଶର ଏକ ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ହେଉଥିବା ଝଗଡାର ସମାଧାନ କରିଛି ସ୍ଥାନୀୟ ପୋଲିସ। ଯାହାର ଭିଡ଼ିଓକୁ ୟୁଜର୍ସ ଖୁବ୍ ଶେୟାର କରିବାରେ ଲାଗିଛନ୍ତି । ଭିଡ଼ିଓଟି ହେଉଛି ୟୁପିର ଗୋଣ୍ଡା ଜିଲ୍ଲାର । ଜଣେ ୭୫ ବର୍ଷୀୟ ବୃଦ୍ଧ ଦମ୍ପତ୍ତିଙ୍କ ଝଗଡାରେ ମଧ୍ୟସ୍ଥତା କରୁଛନ୍ତି ୟୁପି ପୋଲିସ । ପୋଲିସର କଥା ମାନି ଦୁହେଁ ବୁଝାମଣା ମଧ୍ୟ କରିନେଇଛନ୍ତି । ପରସ୍ପରକୁ ମିଠା ଖୁଆଇଛନ୍ତି ମଧ୍ୟ ।

ସଚିନ କୗେଶିକ ନାମକ ଜଣେ ପୋଲିସ ଅଧିକାରୀ ଏଭଳି ଭିଡ଼ିଓ ଶେୟାର କରିଛନ୍ତି । ଜେଜେ ବାପା ଓ ଜେଜେ ମା’ ବୟସର ଏହି ଦମ୍ପତ୍ତିଙ୍କ ମଧ୍ୟରେ କୗେଣସି କାରଣବଶତଃ ଝଗଡା ହୋଇଥିଲା । ଆଉ ଏହି ବିବାଦ ପହଞ୍ଚିଥିଲା ଥାନାରେ । ଯାହା ପରେ ପୋଲିସ କର୍ମୀ ସମାଧାନ ସହ ପରସ୍ପରକୁ ମିଠା ଖୁଆଇବାକୁ କହିଥିଲେ । ପତ୍ନୀଙ୍କୁ ମିଠା ଖୁଆଇବା ବେଳେ ସ୍ୱାମୀ ହସିହସି କହୁଛନ୍ତି ଏବେ ମୋ ହାତ କାଟି ଦେବୁନି ତ । ତାଙ୍କର ଏଭଳି କେଇପଦ କଥାରେ ଉପସ୍ଥିତ ଲୋକମାନେ ଠୋ ଠୋ ହୋଇ ହସିବାକୁ ଲାଗିଥିଲେ ।

ଏନେଇ ଟ୍ୱିଟ୍ କରି ଗୋଣ୍ଡା ଥାନାଧିକାରୀ ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ ସମୟ ସମୟରେ ଏହି ବର୍ଗର ଲୋକଙ୍କ ସମସ୍ୟାର ସମାଧାନ କରିବା ଲାଗି ଚେଷ୍ଟା କରିଥାଉ । ଏହି କ୍ରମରେ ଏପ୍ରିଲ୍ ୧୧ ତାରିଖରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଶିବନାଥ ଓ ତାଙ୍କ ପତ୍ନୀ ଜାନକି ଦେବୀଙ୍କ ମଧ୍ୟରେ ହୋଇଥିବା ଝଗଡାର ସମାଧାନ କରାଯାଇଥିଲା ।