ୟୁକ୍ରେନରେ ଋଷର ବଡ଼ ଧରଣର ଆକ୍ରମଣ, ଆକ୍ରମଣରେ ପୂର୍ବାଞ୍ଚଳ ସେଭରୋଦୋନେସ୍କରେ ୧୦ ମୃତ
1 min readକିଭ୍: ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଛି ଜୋରଦାର ଲଢ଼େଇ । ଋଷର ଆକ୍ରମଣରେ ଛାରଖାର ହୋଇଗଲାଣି ୟୁକ୍ରେନ । ତଥାବି ୟୁକ୍ରେନରେ ଥମିବାରେ ନାଁ ନେଉନି ଆକ୍ରମଣ । ଦିନକୁ ଦିନ ଅଧିକ ରକ୍ତମୁଖା ହେବାରେ ଲାଗିଛନ୍ତି ୟୁକ୍ରେନ ସୈନ୍ୟ । ପୁଣି ଥରେ ୟୁକ୍ରେନର ସାଧାରଣ ନାଗରିକଙ୍କ ଉପରେ ହୋଇଛି ବଡ଼ ଧରଣର ଆକ୍ରମଣ । ୟୁକ୍ରେନ ପୂର୍ବାଞ୍ଚଳ ଅନ୍ତର୍ଗତ ସେଭରୋଦୋନେସ୍କରେ ହୋଇଛି ବଡ଼ ଧରଣର ଆକ୍ରମଣ । ଏହି ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ୟୁକ୍ରେନର ଅନ୍ୟାନ୍ୟ ସହରରେ ବି ଜାରି ରହିଛି ଭୟଙ୍କର ବୋମାମାଡ । ଋଷ ସୈନ୍ୟଙ୍କ ଆକ୍ରମଣରୁ ବାଦ ପଡୁନି ଆବାସିକ ଅଞ୍ଚଳ ଓ ଘରୋଇ କୋଠା । ଅନ୍ୟପକ୍ଷରେ ଋଷର ଭୟଙ୍କର ଆକ୍ରମଣ ଫଳରେ ୟୁକ୍ରେନର ବିଭିନ୍ନ ଅଞ୍ଚଳରୁ ପଳାୟନ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶ ଛାଡିଲେଣି ୨୦ ଲକ୍ଷରୁ ଅଧିକ ନାଗରିକ । ସେପଟେ ଋଷ ୟୁକ୍ରେନ ବିପକ୍ଷରେ ଜୋରଦାର ଆକ୍ରମଣ କରିବା ପରେ ଋଷ ବିପକ୍ଷରେ ବିଭିନ୍ନ ସଂସ୍ଥା ପକ୍ଷରୁ ସେବା ବନ୍ଦ କରାଯାଉଛି । ଏହି କ୍ରମରେ ଋଷରେ ସେବା ବନ୍ଦ କରିଛନ୍ତି ଷ୍ଟାରବକ୍ସ, କୋକାକୋଲା ଓ ପେପିସକୋ ।