ନବରଙ୍ଗପୁରରେ ପୋଲିସ ଗାଡି ଓଲିଟିବା ଘଟଣା, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
1 min readନବରଙ୍ଗପୁର: ନବରଙ୍ଗପୁରରେ ପୋଲିସ ଗାଡି ଓଲିଟିବା ଘଟଣା । ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ବିଷୟରେ ଜାଣି ସେ ଦୁଃଖିତ ଥିବା ଟ୍ବିଟ୍ କରି ଜଣାଇଛନ୍ତି । ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୫ରୁ ଅଧିକ ଗ୍ରାମରଖିଙ୍କୁ ନେଇ ନବରଙ୍ଗପୁର ପୋଲିସ ରିଜର୍ଭ ଅଫିସରୁ କୋଷାଗୁମୁଡ଼ା ଅଭିମୁଖେ ଯାଉଥିବା ବସ ସୋରିଷପଦରର ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣ ଗ୍ରାମରକ୍ଷୀଙ୍କ ମୃତ୍ୟୁ ହୋଇଥିଲା । ୨୫ରୁ ଅଧିକ ଆହତ ହୋଇଛନ୍ତି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।
ନବରଙ୍ଗପୁର ଜିଲ୍ଲା ସୋରିଷପଦର ନିକଟରେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ସଂଖ୍ୟାଧିକ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
— Naveen Patnaik (@Naveen_Odisha) February 19, 2022
ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୩ ଗ୍ରାମରଖି ହେଉଛନ୍ତି ନବରଙ୍ଗପୁର ଇଛାବତୀଗୁଡ଼ାର ଶେଷା ରାଓ, ଖାତିଗୁଡା ଥାନା ଅଞ୍ଚଳର ରବି ବିଶୋଇ, ଓ ଡ଼ଙ୍ଗରଭେଜା ଫାଣ୍ଡି ଅଞ୍ଚଳର ଜଗବନ୍ଧୁ ଗୌଡ଼ । ତେବେ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ଓ ଗୁରୁତରମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଯିବ ଏବଂ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ର ସୂଚନା ଦେଇଛନ୍ତି । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ସଦାଶିବ ପ୍ରଧାନୀ ମେଡିକାଲରେ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ।