ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ; ୨ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଠାରୁ ଶ୍ରୀଲଙ୍କା ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ , ଗଜପତି ନବରଙ୍ଗପୁର, ବାଲେଶ୍ବର ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଦୀପାବଳି ପର୍ଯ୍ୟନ୍ତ ରାଜ୍ୟରେ ରହିବ କୋହଲିଆ ପାଗ । ଉପାନ୍ତରୁ ଉପକୂଳ ସବୁଠି ଆକାଶ ମେଘୁଆ ରହିବା ସହ ଉତ୍ତରା ପବନ ବହିବ।

ବିଶେଷ କରି ସମୁଦ୍ରରୁ ସ୍ଥଳଭାଗ ଆଡକୁ ପବନ ବହୁଥିବାରୁ ରାଜ୍ୟରେ ଶୀତ ପଡିବା ଆରମ୍ଭ ହୋଇଛି । ରାତିର ଅବଧି ବଢିବା ସହ ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ଆରମ୍ଭ ହୋଇଛି । ଉପକୂଳ ଜିଲ୍ଲା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave a Reply