spot_img

Latest Posts

କାଲି ମୟୂରଭଞ୍ଜରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ

ଭୁବନେଶ୍ବର: ଆସନ୍ତାକାଲିଠାରୁ ମୟୂରଭଞ୍ଜରେ ଆରମ୍ଭ ହେବ ସ୍ମାର୍ଟ ସ୍ବାସ୍ଥ୍ୟସେବା। ଜିଲ୍ଲା ଗସ୍ତରେ ଯାଇ BSKY ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବାଣ୍ଟିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଯାଇ ବାରିପଦାର କଲେଜ ପଡିଆରେ ପହଞ୍ଚିବା ପରେ ଶହୀଦ ସ୍ମୃତିଭବନ ପରିସରରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ମୟୂରଭଞ୍ଜ ଜିଲ୍ଲାରେ ୬ ଲକ୍ଷ ହିତାଧିକାରୀ ବିଏସକେୱାଇ ସ୍ମାର୍ଟକାର୍ଡର ଲାଭ ପାଇବେ। ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ।  ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେପଟେ ବିଜେଡି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାରିପଦା ପୌରାଞ୍ଚଳର ୪ ପ୍ରମୁଖ ସ୍ଥାନରେ ବଣ୍ଟନ ଓ ଲୋକାର୍ପଣ ଉତ୍ସବ ଦେଖିବା ବ୍ୟବସ୍ଥା କରାଯାଇଛି। ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ଜାରି ରହିଛି। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶାର ଲକ୍ଷ୍ୟ ରଖି ଅଗଷ୍ଟ ୧୫ ତାରିଖରୁ ଏହି ଡିଜିଟାଲ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜୁ ସ୍ବାସ୍ଥ୍ୟ କାର୍ଡରେ ମହିଳାମାନେ ୧୦ ଲକ୍ଷ ଓ ପୁରୁଷମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଇବେ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।

Latest Posts

Don't Miss