spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଓଡ଼ିଶା ରୋଲ୍ ମଡେଲ୍। ବିପର୍ଯ୍ୟୟକୁ ବାଜିମାତ୍ କରିବାରେ ସକ୍ଷମ ନବୀନ ସରକାର। ସେ କରୋନା ହେଉକି ବାତ୍ୟା ୟାସ୍‌। ସବୁକୁ ସାମ୍ନା କରିବାରେ ସଫଳ ଓଡ଼ିଶା ସରକାର। ଓଡ଼ିଶା ସରକାରଙ୍କ ଜିରୋ କାଜୁଆଲିଟି ରଣନୀତି ପାଇଁ ବିପର୍ଯ୍ୟୟର ବିଭିଷୀକା ଉପରେ ରୋକ୍ ଲାଗେ। ଏଭଳି କିଛି କହି ପୁଣି ଓଡ଼ିଶା ସରକାରଙ୍କୁ ଓଡ଼ିଶାକୁ ତାରିଫ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ  କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଛାତ୍ର ଓ ସାଧାରଣ ଲୋକଙ୍କୁ ତାଲିମ ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ପଦକ୍ଷେପ ପାଇଁ ଆନନ୍ଦ ମହିନ୍ଦ୍ରା ତାଙ୍କ ନେତୃତ୍ୱ ଗୁଣ ପାଇଁ ପ୍ରଶଂସା କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ କରିଥିବା ଟ୍ୱିଟ୍‌ରେ ଆନନ୍ଦ ମହିନ୍ଦ୍ରା ପ୍ରତିକ୍ରିୟ ଦେଇଛନ୍ତି। ସେ କହିଛନ୍ତି “ଯେତେବେଳେ ପ୍ରକୃତି ଓ ଏହାର କାରକ ପୃଥିବୀକୁ ଅତ୍ୟଧିକ ଅସ୍ଥିର ଓ ଅପ୍ରତ୍ୟାଶିତ କରି ଦେଇଛନ୍ତି ସେତେବେଳେ ଏହା ନେତୃତ୍ୱ ଲାଗି ଏକ ବିରାଟ ଶିକ୍ଷା”।

ଓଡ଼ିଶା ମନ୍ତ୍ରୀ ପରିଷଦ ଦ୍ୱାରା ପାରିତ ହୋଇଥିବା ଏହି ସଂକଳ୍ପରେ ଜରୁରୀକାଳୀନ ପରିସ୍ଥିତି ଉପରେ କେମିତି କାର୍ଯ୍ୟ କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି। କୁହାଯାଇଛି ଯେ ଜରୁରୀକାଳୀନ ପରିସ୍ଥିତିକୁ କିପରି ମୁକାବିଲା କରାଯିବ ଏବଂ ପୂର୍ବାନୁମାନ କରାଯାଇ ପାରିନଥିବା ବିପର୍ଯ୍ୟୟ ସହ ଲଢ଼ିବା ପାଇଁ ରାଜ୍ୟ ସରକାର ତାଲିମ ଦେବେ। ବର୍ତ୍ତମାନ ହାଇସ୍କୁଲ ଏବଂ କଲେଜଗୁଡ଼ିକରେ ପାଠ୍ୟକ୍ରମର ଏକ ଅଂଶ ଭାବରେ ରାଜ୍ୟ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ପାଠ୍ୟକ୍ରମ ରହିବ।

ଏହା ବ୍ୟତୀତ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନାର ମୌଳିକ ପ୍ରକୃତି ଉପରେ ତାଲିମ ଦେବେ। ଏଥିସହ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ କେମିତି ବିପର୍ଯ୍ୟୟ ମୁକାବିଲା କରିହେବ ତାହା ଶିଖାଇବେ। ଏବଂ ମହାମାରୀ ପରିଚାଳନା ଉପରେ ଏକ ବାଧ୍ୟତାମୂଳକ ସିଲାବସ୍ ରହିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ସେୟାର କରିଥିଲେ। ଯାହାକୁ ନେଇ ପ୍ରଶଂସା କରିଛନ୍ତି ଆନନ୍ଦ ମହିନ୍ଦ୍ରା। ଖାଲି ସେତିକି ନୁହେଁ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି , ବନ ସୁରକ୍ଷା ସମିତି ଏବଂ ଅନ୍ୟାନ୍ୟ ସଂଗଠନର ସଦସ୍ୟମାନଙ୍କୁ ତାଲିମ ଦେବେ।

ଯେମିତି ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶାର ସମସ୍ତେ ପ୍ରସ୍ତୁତ ରହିବେ ସେଥିପାଇଁ ଏହି ପ୍ରସ୍ତାବ ପାରିତ ହୋଇଛି । ଏଥିରେ ବିପର୍ଯ୍ୟୟ ତଥା ମହାମାରୀ ପ୍ରତିରୋଧକାରୀ ଓଡ଼ିଶା ନିର୍ମାଣର ଏହି ମିଶନକୁ ଆଗକୁ ନେବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ। ଭବିଷ୍ୟତର ଜରୁରୀକାଳୀନ ପରିସ୍ଥିତି ପାଇଁ ଏହା ଆମର ସବୁଠୁ ବଡ ପ୍ରସ୍ତୁତି ହେବ ବୋଲି ପ୍ରସ୍ତାବରେ କୁହାଯାଇଛି ।  #DisasterReadyOdisha ।

Latest Posts

Don't Miss