ରେମଡେସିଭିର ଇଞ୍ଜେକସନ୍ ଅସଲି କି ନକଲି, କେମିତି ଜାଣିବେ…

1 min read

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ବେଡ୍, ଅକ୍ସିଜେନ୍ ଓ ଔଷଧ ଆଦିର ସଙ୍କଟ ଦେଖାଦେଇଛି । ଯାହା ଫଳରେ ଆଣ୍ଟିବାଏରାଲ୍ ମେଡିସିନ ରେମଡେସିଭିର ଚାହିଦା ବଢିବାରେ ଲାଗିଛି। ଅଧିକାଂଶ ରାଜ୍ୟରେ ସହଜରେ ଏହି ଇଞ୍ଜେକସନ୍ ମିଳୁନଥିବା ବେଳେ ଲୋକ ଏହାକୁ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। କେହିକେହି ଏହାକୁ ୨୦ ହଜାରରୁ ୪୦ ହଜାର ଟଙ୍କା ମୂଲ୍ୟରେ କିଣିବାକୁ ପଛାଉ ନାହାଁନ୍ତି ।

ଏଭଳି ସମୟରେ ବଜାରରେ ନକଲି ରେମଡେସିଭିର ମିଳୁଥିବା ନେଇ ଚର୍ଚ୍ଚା ହେଉଛି । କରୋନା ସମୟରେ ଲୋକ ନିଜ ନିଜ ସମ୍ପର୍କୀୟଙ୍କୁ ହରାଇ ଭାଙ୍ଗି ପଡୁଥିବା ବେଳେ କିଛି ଖଳ ପ୍ରକୃତି ଲୋକ ଫାଇଦା ଉଠାଇବାକୁ ପଛାଉ ନାହାଁନ୍ତି । ଲୋକମାନେ ବାଧ୍ୟ ବଶତଃ ଅଧିକ ଦରରେ ଏହାକୁ କିଣୁଥିବା ବେଳେ ନକଲି ରେମଡେସିଭିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦିଲ୍ଲୀର ଏନସିଆର୍ ଅଞ୍ଚଳରୁ ନକଲି ରେମଡେସିଭିର ତିଆରି ଓ ବିକ୍ରି ମାମଲା ନଜରକୁ ଆସିଛି। ଏଭଳି ସ୍ଥଳେ କିପରି ଜାଣିବେ ରେମଡେସିଭିର ନକଲି ନା ଅସଲି…

ରେମଡେସିଭିରର ପ୍ୟାକେଟ୍ ଉପରେ କିଛି ଲେଖାକୁ ପଢି ଆପଣ ତାହାକୁ ଅସଲି କି ନକଲି ବୋଲି ଜାଣିପାରିବେ। ୧୦୦ ମିଲିଗ୍ରାମର ଇଞ୍ଜେକସନ୍ ପାଉଡର ରୂପରେ ଶିଶି ବୋତଲରେ ରହିଥାଏ । ଇଞ୍ଜେକସନର ସବୁ ଶିଶି ଉପରେ Rxremdesivir ଲେଖା ହୋଇଥାଏ । ଏମତିକି ଇଞ୍ଜେକସନ ବକ୍ସ ପଛରେ ଗୋଟିଏ ବାର୍ କୋଡ୍ ରହିଥାଏ । ଏସମ୍ପର୍କରେ ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚର ଡିସିପି ମୋନିକା ଭରଦ୍ୱାଜ୍ ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଏଥିସହିତ କିପରି ଅସଲି ଓ ନକଲି ମଧ୍ୟରେ ଫରକ ଜାଣିବେ ସେନେଇ ସେ ସମ୍ୟକ୍ ସୂଚନା ଦେଇଛନ୍ତି । ଅସଲି ରେମଡେସିଭିର ପ୍ୟାକେଟ୍ ଉପରେ ଇଂରାଜୀରେ For use in ଲେଖାଯାଇଥାଏ । ଯେତେବେଳେକି ନକଲିରେ for use in.. ଲେଖା ବଡ଼ ଅକ୍ଷରରେ ଲେଖା ଆରମ୍ଭ ହୋଇନଥାଏ । ଅସଲି ପ୍ୟାକେଟରେ ଚେତାବନୀ ଗୁଡିକ ଲାଲ୍ ରଙ୍ଗରେ ଲେଖା ହୋଇଥିବା ବେଳେ ନକଲିରେ କଳା ରଙ୍ଗରେ ଲେଖା ହୋଇଥାଏ ।

କରୋନା ମହାମାରୀ ସମୟରେ ରେମଡେସିଭିର ଇଞ୍ଜେକସନର କଳାବଜାରୀ କରିବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ୩ ଅଭିଯୁକ୍ତଙ୍କ ଗିରଫ କରାଯାଇଛି । ଯେଉଁମାନେ ରେମଡେସିଭିର ଇଞ୍ଜେକସନକୁ ୪୦ ହଜାର ଟଙ୍କାରେ ବିକ୍ରି କରୁଥିଲେ । କ୍ରାଇମ୍ ବ୍ରାଞ୍ଚ ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ରେମଡେସିଭିରର ୩ଟି ଇଞ୍ଜେକସନ୍, ୧୦୦ ଅକ୍ସିମିଟର ଓ ୪୮ଟି ଛାେଟ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଜବତ କରାଯାଇଛି ।

ଅଧିକ ପଢନ୍ତୁ- ୧୭ ନକଲି ରେମଡେସିଭିର ଇଞ୍ଜେକ୍ସନ ଜବତ, ୨ ଗିରଫ

Leave a Reply