ବର୍ଷେ ଭିତରେ ହାଇୱେରୁ ହଟିବ ସବୁ ଟୋଲ୍ ପ୍ଲାଜା, ଜାତୀୟ ରାଜପଥରେ ଲାଗିବ ଜିପିଏସ ଟ୍ରାକର

ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷ ମଧ୍ୟରେ ଜାତୀୟ ରାଜପଥରୁ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ । ଟୋଲ ପ୍ଲାଜା ସ୍ଥାନରେ ଜିପିଏସ ଟ୍ରାକର ଦ୍ୱାରା ଗାଡିକୁ ଟ୍ରାକ୍ କରାଯିବ। ଯେତିକି ସମୟ ପାଇଁ ଓ ଯେତିକି ବାଟ ହାଇୱେରେ ଯିବେ ସେତିକି ପାଇଁ ଟୋଲ୍ ଦେବେ । ସଂସଦରେ ଏଭଳି ଘୋଷଣା କରିଛନ୍ତି ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।

ଲୋକସଭାରେ ଗୁରୁବାର ଦିନ ବିଏସପି ସାଂସଦ କୁଅଁଲ ଦାନିସ ଅଲ୍ଲୀ ଗଡମୁକ୍ତେଶ୍ୱର ପାଖରେ ଥିବା ସଡକରେ ମ୍ୟୁନିସିପାଲିଟି ସୀମା ଭିତରେ ଟୋଲ୍ ପ୍ଲାଜା ଥିବା କଥା ସଂସଦରେ ଉଠାଇଥିଲେ । ମ୍ୟୁନିସିପାଲିଟି ସୀମାକ୍ଷେତ୍ରରେ କେମିତି ଟୋଲ୍ ପ୍ଲାଜା ବସିଲା ଓ କେମିତି ଲୋକଙ୍କଠାରୁ ଟୋଲ ଆଦାୟ କରାଯାଉଛି ବୋଲି ସାଂସଦ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଗଡକରୀ କହିଥିଲେ ଯେ, ଗତ ସରକାର ଅମଳରେ ଠିକା କମ୍ପାନୀଙ୍କୁ ଅଧିକ ଲାଭ ପହଂଚାଇବା ଲକ୍ଷ୍ୟରେ ମନଇଛା ଟୋଲ୍ ପ୍ଲାଜା ବସାଇବାକୁ ଦିଆଯାଇଥିଲା । ସହର ସୀମାରେ ଏଭଳି ଟୋଲ୍ ପ୍ଲାଜା ବସାଇବା ବେଆଇନ୍ ଓ ଭୁଲ।
ଗଡକରୀ କହିଥିଲେ ଯେ, ଏବେ ଯଦି ଟୋଲ୍ ପ୍ଲାଜାକୁ ହଟାଯାଏ ତେବେ କଂପାନୀ ଆଇନର ଆଶ୍ରା ନେଇ କ୍ଷତିପୁରଣ ଦାବି କରିବେ । ତେବେ ସରକାର ଆସନ୍ତା ଏକ ବର୍ଷ ମଧ୍ୟରେ ରାଜପଥରୁ ସବୁ ଟୋଲ୍ ପ୍ଲାଜା ହଟାଇବାକୁ ଯୋଜନା କରୁଛନ୍ତି । ଟେକ୍ନୋଲୋଜି ସାହାଯ୍ୟ ନେଇ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ । ସରକାରଙ୍କ ଯୋଜନା ହେଉଛି ଜାତୀୟ ରାଜପଥରେ ଜିପିଏସ୍ ଟ୍ରାକର ଲଗାଇବା । ଯାହାଦ୍ୱାର ଜିପିଏସ ରାଜପଥରେ ଚାଲୁଥିବା ଗାଡିର ଫଟୋ ନେଇପାରିବ । ଗୋଟିଏ ଗାଡି ଯେଉଁଠାରୁ ରାଜପଥ ଉପରକୁ ଆସିବ ସେଠାରେ ତା’ର ଫଟୋ ଉଠାଯିବ । ପରେ ଯେତେବେଳେ ଗାଡି ରାଜପଥରୁ ବାହାରିବ ସେତେବେଳେ ମଧ୍ୟ ଫଟୋ ଉଠିବ । ଏହାଫଳରେ ଗାଡି ରାଜପଥରେ ଯେତିକି ବାଟ ଗଡିଥିବ ସେତିକି ପାଇଁ ଟୋଲ୍ ଦେବ ।

ଜିପିଏସ୍ ଟ୍ରାକର କେମିତି କାମ କରିବ ବୁଝନ୍ତୁ :
ଉଦାହରଣ ସ୍ୱରୁପ ଆପଣ ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବେ । ଆପଣ ଫାୟାର ଷ୍ଟେଶନ ରାସ୍ତାରୁ ଜାତୀୟ ରାଜପଥ ଉପରକୁ ଉଠୁଛନ୍ତି ,ତେବେ ଫାୟାର ଷ୍ଟେଶନରେ ଆପଣଙ୍କ ଗାଡିର ଫଟୋ ଜିପିଏସ ଟ୍ରାକର ଉଠାଇବ । ଯେତେବେଳେ ଆପଣ ଖୋର୍ଦ୍ଧା ନିକଟରେ ଜାତୀୟ ରାଜପଥ ଛାଡି ମୁନିସିପାଲିଟି ରାସ୍ତାକୁ ଉଠିବେ ସେତେବେଳ ମଧ୍ୟ ଗୋଟିଏ ଫଟୋ ଉଠିବ । ପ୍ରଥମ ଫଟୋ ଓ ଦ୍ୱିତୀୟ ଫଟୋ ଉଠିଥିବା ରାସ୍ତା ପାଇଁ ଆପଣଙ୍କୁ ଟୋ୍ଲ ଦେବାକୁ ପଡିବ । ଅର୍ଥାତ ରାଜପଥରେ ଯେତିକି ବାଟ ଯିବେ ସେତିକି ପାଇଁ ଟୋଲ ପୈଠ କରିବାକୁ ପଡିବ

Leave a Reply