ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି 5ଟି ସଚିବ

1 min read

ପୁରୀ: ବିଶ୍ବସ୍ତରୀୟ ଐତିହ୍ୟ ସହରରେ ରୂପାନ୍ତିରତ ହେଉଛି ପୁରୀ । ସପ୍ତାହକୁ ସପ୍ତାହ ଚାଲିଛି ବିକାଶ କାମର ସମୀକ୍ଷା । ପରିକ୍ରମା ପ୍ରକଳ୍ପକୁ ଟାର୍ଗେଟ ମୁତାବକ ସମ୍ପୂର୍ଣ୍ଣ କରିବାକୁ ଫାଇଭ-ଟି ସଚିବଙ୍କ ଗ୍ରାଉଣ୍ଡ ଓ୍ବାର୍କ । ସନ୍ଧ୍ୟାରେ ପୁରୀ ଯାଇ ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ସିଂହଦ୍ବାର ସମ୍ମୁଖରେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଫାଇଭ-ଟି ସଚିବ । ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ପରେ ପୁନର୍ବାର ସିଂହଦ୍ବାର ସମ୍ମୁଖରେ ନିର୍ମାଣ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଲେବଲିଂ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଖଣ୍ଡୋଲାଇଟ ପଥରେ ନିର୍ମିତ ରାସ୍ତାକୁ ଦେଖି ଖୁସି ପ୍ରକାଶ କରିଥିଲେ ଫାଇଭ-ଟି ସଚିବ । ପରେ ଏମାର ମଠ ଓ କାକୁଡ଼ିଖାଇ ଛକ ଅଞ୍ଚଳରେ ନିର୍ମାଣ ବୁଲି ଦେଖିବା ସହ ଖଣ୍ଡୋଲାଇଟ ପଥରରେ ନିର୍ମିତ ପ୍ରାଚୀର ସମ୍ପର୍କରେ ପଚାରି ବୁଝିଥିଲେ । କାକୁଡିଖାଇ ଛକରୁ ଦକ୍ଷିଣ ଦ୍ବାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ନିର୍ମାଣ ସହ ପଶ୍ଚିମଦ୍ବାରରେ ଭକ୍ତଙ୍କ ପାଇଁ ହେଉଥିବା ବିଶ୍ରାମ ଗୃହ, ଟଏଲେଟ, ସେବାୟତଙ୍କ ପାଇଁ ନିର୍ମିତ ବିଶ୍ରାମ ଗୃହ ସହ ଇଲେକ୍ଟ୍ରିକ ସବଷ୍ଟେସନର ନିର୍ମାଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

ପଶ୍ଚିମରୁ ଉତ୍ତର ଦ୍ବାରକୁ ସଂଯୋଗ କରୁଥିବା ରାସ୍ତା, ଉତ୍ତର ଦ୍ବାର ନିକଟରେ ନିର୍ମାଣାଧୀନ ଡ୍ରେନେଜ, ଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୌଳିକ ସୁବିଧା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରିଥିଲେ । ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଟାର୍ଗେଟ ମୁତାବକ କାମ ସାରିବାକୁ ପ୍ରତି ସପ୍ତାହରେ ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ । ଗସ୍ତ ସମୟରେ ପୂର୍ବ ସପ୍ତାହରେ ଦେଇଥିବା ଟାର୍ଗେଟ କାର୍ଯ୍ୟକାରୀତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ । ଏହି ଅବସରରେ ଆଗାମୀ ରଥଯାତ୍ରା ସମୟରେ କିଭଳି ବ୍ୟବସ୍ଥା ଅବଲମ୍ବନ କରାଯାଉଛି ସେ ସମ୍ପର୍କରେ ଏସପି ଓ ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ ।