ରାଫାରେ ୮ଟି ରକେଟ ମାଡ କଲା ଇସ୍ରାଏଲ, ଶରଣାର୍ଥୀ କ୍ୟାମ୍ପ ଧ୍ବସ୍ତ ବିଧ୍ବସ୍ତ

ଗାଜା: ପାଲେଷ୍ଟାଇନ ଗାଜାର ଦକ୍ଷିଣରେ ଥିବା ରାଫା ସହର ଉପରେ ଇସ୍ରାଏଲର ବଡ ଧରଣର ଆକ୍ରମଣ  । ଯେଉଁଥିରେ ଅତି କମ୍‌ରେ ୪୦ ଜଣ ପ୍ରାଣ ହରାଇଛନ୍ତି  ।ପାଲେଷ୍ଟାଇନ ମିଡିଆ ରିପୋର୍ଟ ଅନୁସାରେ ଏହି ବିସ୍ଫୋରଣରେ ଶରଣାର୍ଥୀ କ୍ୟାମ୍ପରେ ନିଆଁ ଲାଗି ପ୍ରାୟ ୪୦ ଜଣ ଜୀବନ୍ତ ଜଳି ଯାଇଛନ୍ତି  ।

ରାଫା ଶରଣାର୍ଥୀ କ୍ୟାମ୍ପରେ ହଜାର ହଜାର ବାସହୀନ ଲୋକେ ଶରଣ ନେଇଛନ୍ତି  । ଇସ୍ରାଏଲ ସେନା ଏହି କ୍ୟାମ୍ପଙ୍କୁ ଲକ୍ଷ୍ୟ କରି ପାଖାପାଖି ୮ଟି ରକେଟ ମାଡ କରିଛି  । ରାଫାର ଏହି ଅଞ୍ଚଳରେ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ପ୍ରାୟ ଧନୀ ଲୋକେ ବସବାସ କରୁଛନ୍ତି  ।

ରକେଟ ମାଡ ପରେ ଅଞ୍ଚଳର ଭିଡିଓ ଭାଇରାଲ ହେବାରେ ଲାଗିଛି  । ନିଆଁ ଲାଗିବା ପରେ ସେଠାରେ କିଭଳି ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି ଭିଡିଓରେ ଦେଖିବାକୁ ମିଳିଛି  । ନାଗରିକ ସୁରକ୍ଷା ଓ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଶବ ଉଦ୍ଧାର କରିବା ପାଇଁ ନାକେଦମ ହେବାକୁ ପଡିଛି  ।

ପାଲେଷ୍ଟାଇନ ସୁରକ୍ଷା ରିପୋର୍ଟ ମୁତାବକ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ଏହି ଅଞ୍ଚଳକୁ ସେଫ୍‌ ଜୋନ୍‌ ଦର୍ଶାଇଥିଲେ  । ଏହି ଆକ୍ରମଣ ପରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ନିଷ୍ପତ୍ତିକୁ ଅବମାନନା କରାଯାଇଥିବା ଅଭିଯୋଗ କରିଛି ହମାସ  ।