ଉପାନ୍ତରୁ ବାହାରିବେ ଉଦୀୟମାନ କ୍ରିକେଟ୍ ଖେଳାଳି, ରାଜ୍ୟରେ ପ୍ରତିଷ୍ଠା ହେବ ୪୦ କ୍ରିକେଟ ଏକାଡେମୀ

କଟକ: ସାରା ରାଜ୍ୟରେ କ୍ରିକେଟ ଓ ପ୍ରତିଭାବାନ ଖେଳାଳିଙ୍କ ଉନ୍ନତି ପାଇଁ ଖୁବଶୀଘ୍ର ପ୍ରତିଷ୍ଠା ହେବ ୪୦ କ୍ରିକେଟ ଏକାଡେମୀ । ବାରବାଟୀ ଷ୍ଟାଡିୟମରେ ସେଣ୍ଟ୍ରାଲ ଏକାଡେମୀ ସହ ପ୍ରତ୍ୟେକ ଜିଲ୍ଲାରେ ଏକାଡେମୀ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ବୈଷୟିକ ନିର୍ଦ୍ଦେଶକ ଭାବରେ ଭି. ଭେଙ୍କଟରାମଙ୍କୁ ଓସିଏ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ପୂର୍ବରୁ କେବଳ କଟକ, ଭୁବନେଶ୍ୱର ଆଦି ସହରରୁ ଖେଳାଳି ବାହାରୁ ଥିବାବେଳେ ଏବେ ଉପାନ୍ତ ଅଞ୍ଚଳର ପ୍ରତିଭାବାନ ପିଲା ଏକାଡେମୀରେ ଉପଯୁକ୍ତ କୋଚିଂ ନେଇ ରାଜ୍ୟ କ୍ରିକେଟ ପାଇଁ ଖେଳିବାର ସୁଯୋଗ ପାଇବେ । ପ୍ରତି ଏକାଡେମୀରେ ଏଥିପାଇଁ ଓସିଏ ପକ୍ଷରୁ ସ୍ବତନ୍ତ୍ର କୋଚ ନିଯୁକ୍ତ ହେବେ । ଭିତ୍ତିଭୂମିର ଉନ୍ନତି ହେଲେ ଭଲ ଖେଳାଳି ସାମ୍ନାକୁ ଆସିବେ ଓ ଓଡ଼ିଶା କ୍ରିକେଟ ଅଧିକ ସଫଳତା ପାଇବ ବୋଲି ଓସିଏ ସମ୍ପାଦକ ଆଶା ପ୍ରକାଶ କରିଛନ୍ତି ।