ଚଳିତ ବର୍ଷ ଦେଶରେ ହେବାକୁ ଯାଉଛି ପ୍ରାୟ ୩୫ ଲକ୍ଷ ବିବାହ 

1 min read

ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଦେଶରେ ହେବାକୁ ଯାଉଛି ପ୍ରାୟ ୩୫ ଲକ୍ଷ ବିବାହ । ଏହି ବିବାହ ଯୋଗୁ ଭାରତର ବାଣିଜ୍ୟ ବ୍ୟବସାୟ ଆଖିଦୃଶିଆ ଭାବେ ବୃଦ୍ଧି ପାଇବ । ଚଳିତ ବର୍ଷ ଏନେଇ ୪ ଦଶମିକ ୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସୂଚନା ଦେଇଛନ୍ତି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ବା ସିଏଆଇଟି । ସିଆଇଏଟି ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି- ଆସନ୍ତା ନଭେମ୍ବର ୨୩ରୁ ଡିସେମ୍ବର ୧୫ ଯାଏ ଦେଶରେ ଆଖିଦୃଶିଆ ବିବାହ ଅନୁଷ୍ଠିତ ହେବ । ମାତ୍ର ୨୩ ଦିନ ମଧ୍ୟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଭାରତରେ ୪ ଦଶମିକ ୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି ।

ଭାରତରେ ପ୍ରତି ବିବାହ ପିଛା ହାରାହାରି ୫ ଲକ୍ଷ ଟଙ୍କା ବ୍ୟୟ ହିସାବରେ ଏହି ଆକଳନ କରାଯାଇଛି । ଗୋଆ, କେରଳ, ଜୟପୁର, ସିମଳାରେ ସବୁଠାରୁ ଅଧିକ ବିବାହ ହେବାକୁ ଯାଉଛି । ସେ କହିଛନ୍ତି ଏହି ବିବାହ ମଧ୍ୟରୁ ପ୍ରାୟ ୬ ଲକ୍ଷ ବିବାହ ୩ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟରେ ହେବା ଆଶା ରହିଛି । ନଭେମ୍ବର ୨୩, ୨୪, ୨୭, ୨୮, ୨୯, ଡିସେମ୍ବର ୩, ୪, ୭, ୮, ୯ରେ ଦେଶରେ ଅଧିକାଂଶ ବିବାହ ସମ୍ପନ୍ନ ହେବ । ଗତବର୍ଷ ଦେଶରେ ୩୨ ଲକ୍ଷ ବିବାହ ହୋଇଥିବାବେଳେ ମୋଟ ଖର୍ଚ୍ଚ ହୋଇଥିଲା ୩ ଲକ୍ଷ ୭୫ ହଜାର କୋଟି ଟଙ୍କା ।