ପୁଣି ଋଷର ବଡ଼ ଧରଣର ଆକ୍ରମଣ, ଜୀବନ ହାରିଲେ ୩୧ ୟୁକ୍ରେନ ନାଗରିକ

1 min read

କିଭ୍‌: ୟୁକ୍ରେନ ଉପରେ ଋଷର ବଡ଼ ଧରଣର ଆକ୍ରମଣ । ୩୧ ନାଗରିକ ପ୍ରାଣ ହରାଇଥିବାବେଳେ ଆହତ ହୋଇଛନ୍ତି ୧୬୦ ରୁ ଅଧିକ ଲୋକ । ଆକ୍ରମଣରେ ନଷ୍ଟ ହୋଇଛି ଅନେକ ଭିତ୍ତିଭୂମି । ସେପଟେ ନାଟୋ ସଦସ୍ୟରାଷ୍ଟ୍ର ପୋଲାଣ୍ଡ କହିଛି- ତାଙ୍କ ଦେଶର ଆକାଶ ସୀମା ଦେଇ ଋଷର କେତେକ ମିସାଇଲ ଅତିକ୍ରମ କରିଛି । ତେବେ ପୋଲାଣ୍ଡ ଦେଇ କୌଣସି ମିସାଇଲ ଅତିକ୍ରମ କରିନାହିଁ ବୋଲି କହିଛି ଋଷ ବୈଦେଶିକ ବ୍ୟାପାର ବିଭାଗ । ଏନେଇ ପୋଲାଣ୍ଡ ବୈଦେଶିକ ମନ୍ତ୍ରାଳୟକୁ ସମନ ଜାରି କରିଛି ଋଷ ।

ଏହି ହମଲାକୁ ବିରୋଧ କରିଛି ୟୁକ୍ରେନ । ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି- ତାଙ୍କ ଦେଶରେ ବିସ୍ଫୋରଣ ଘଟୁଥିବାର ଶବ୍ଦ ପ୍ରତି ନାଗରିକ ଶୁଣୁଛନ୍ତି । ତେବେ ଏହି ଶବ୍ଦ ସାରା ପୃଥିବୀରେ ପ୍ରତିଧ୍ବନିତ ହେଉ । ତାଙ୍କ ଦେଶକୁ ବନ୍ଧୁ ରାଷ୍ଟ୍ରର ସହାୟତା ଜାରି ରହୁ ବୋଲି ସେ କହିଛନ୍ତି । ଏହି ଆକ୍ରମଣକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ବିରୋଧ କରିଥିବା ସୂଚନା ମିଳିଛି ।

ସେପଟେ ଜାତିସଂଘସ୍ଥିତ ଋଷର ରାଷ୍ଟ୍ରଦୂତ ଭାସିଲି ନେବେନଜାୟା କହିଛନ୍ତି- ୟୁକ୍ରେନରେ ଥିବା କେତେକ ସାମରିକ ଭିତ୍ତିଭୂମି ଉପରେ ହିଁ ଆକ୍ରମଣ ହୋଇଛି । ନାଗରିକଙ୍କ ମୃତାହତ ଘଟଣାରେ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ହିଁ ଦାୟୀ । ୟୁକ୍ରେନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି- ଋଷର 87ଟି କ୍ରୁଜ ମିସାଇଲ, 27ଟି ଡ୍ରୋନକୁ ୟୁକ୍ରେନ ବାହିନୀ ଖସାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି- ଋଷ ପକ୍ଷରୁ ପ୍ରେରିତ ମୋଟ 110ଟି ମିସାଇଲ ମାଡ କରାଯାଇଥିବାବେଳେ ସେଗୁଡିକୁ ଧ୍ବଂସ କରିଦିଆଯାଇଛି ।