ପଦାରେ ପଡ଼ିଲା ପଞ୍ଜାବ ପୋଲିସର କଳା କାରନାମା, ଅଭିଯୁକ୍ତଙ୍କ ସହ ଆଇନଜୀବୀଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ କରୁଥିଲେ ବାଧ୍ୟ

ଚଣ୍ଡିଗଡ଼: ପଦାକୁ ଆସିଲା ଖାକିର ବୀଭତ୍ସ କାରନାମା । ପଞ୍ଜାବ ପୋଲିସର ଥାର୍ଡ ଡିଗ୍ରୀକୁ ନେଇ ଏବେ ଚର୍ଚ୍ଚା । ଖୋଦ ହାଜତ ଭିତରେ ଜଣେ ଅଭିଯୁକ୍ତଙ୍କ ସହ ଗିରଫ ଆଇନଜୀବୀଙ୍କୁ ଶାରୀରିକ ସମ୍ପର୍କ ରଖିବା ଲାଗି ବାଧ୍ୟ କରିବା ଘଟଣାକୁ ନେଇ ଆଲୋଡନ । ପଞ୍ଜାବ ମୁକ୍ତାସର ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ଗିରଫ ହୋଇଛନ୍ତି ଜଣେ ଏସପି ଓ ଦୁଇ ଜଣ ପୋଲିସ ।

ଏହି ଘଟଣାର ତଦନ୍ତ ଲାଗି ଲୁଧିଆନା ପୋଲିସ କମିଶନର ମନଦୀପ ସିଂ ସିଦ୍ଧୁଙ୍କ ନେତୃତ୍ବରେ ଗଠିତ ହୋଇଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ । ଏହି ଏସଆଇଟିକୁ ଅନୁଧ୍ୟାନ କରିବେ ଗୁଇନ୍ଦା ବିଭାଗ ଅତିରିକ୍ତ ମହାନିର୍ଦ୍ଦେଶକ ଯଶକରନ ସିଂ । ହାଜତ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବାର୍ ଆସୋସିଏସନ ଭେଟିବା ପରେ ଏହି କମିଟି ଗଠିତ ହୋଇଛି । ଗତ ସୋମବାର ଜଣେ ସହ ଅଭିଯୁକ୍ତଙ୍କ ସହ ଯୌନକ୍ରିୟା ଲାଗି ହାଜତ ଭିତରେ ଜଣେ ଆଇନଜୀବୀଙ୍କୁ ବାଧ୍ୟ କରାଯାଇଥିଲା । ଯୌନକ୍ରିୟା ଲାଗି ନିର୍ଦ୍ଦେଶ ଦେଇଥିଲେ ଜଣେ ଏସପି ରାଙ୍କର ଅଫିସରଙ୍କ ସମେତ ୬ ଜଣ ପୋଲିସ ।

ଏହି ଅଭିଯୋଗ ପରେ ମୁକ୍ତସାର ଏସପି ରମଣଦୀପ ସିଂ ଭୁଲ୍ଲାର, ଇନସ୍ପେକ୍ଟର ରମନ କୁମାର କାମ୍ବୋଜ, କନଷ୍ଟେବଳ ହରବଂଶ ସିଂ, ଭୂପିନ୍ଦର ସିଂ, ଗୁରୁପ୍ରୀତ ସିଂ ଓ ଦାରା ସିଂଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ମାମଲା ଅନୁସାରେ ଏସପି ଭୁଲ୍ଲାର, ଇନ୍ସପେକ୍ଟର ରମଣ ଓ କନଷ୍ଟେବଳ ହରବଂଶଙ୍କୁ ଗିରଫ କରାଯାଇଛି । ହାଜତ ନିର୍ଯାତନା ଘଟଣା ପରେ ବାର୍ ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଏକ ପୋଲିସ ଟିମକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କ ୟୁନିଫର୍ମ ଚିରିଦେଇଥିଲେ ବୋଲି ଅପରାଧ ତଦନ୍ତ ସଂସ୍ଥାର ଅଧିକାରୀ ରମଣ କୁମାର ଖମ୍ବୋଜ ଅଭିଯୋଗ କରିବା ପରେ ଗତ ସେପ୍ଟେମ୍ବର ୧୪ରେ ଅଭିଯୁକ୍ତ ଓକିଲ ଓ ଜଣେ ସହକର୍ମୀଙ୍କୁ ପୋଲିସ ଗିରଫ କରିଥିଲା ।

ହାଜତ ନିର୍ଯାତନା ନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଗତ ସେପ୍ଟେମ୍ବର ୨୨ରେ ନିର୍ଦ୍ଦେଶ ଦେଇଥିଲେ ମୁକ୍ତସାର ସିଜେଏମ ।