ନବୀନଙ୍କ କ୍ୟାବିନେଟରେ ସାମିଲ ହେବେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । କିଏ ପାଇବେ ମନ୍ତ୍ରୀ ପଦ? ପ୍ରଶ୍ନରୁ ହଟିଲା ପରଦା । ତିନି ବରିଷ୍ଠ ବିଜେଡି ବିଧାୟକଙ୍କ ନାଁରେ ମୋହର । ଆସନ୍ତାକାଲି ତିନି ନୂଆ ମନ୍ତ୍ରୀ ନେବେ ଶପଥ । ନୂଆ ମନ୍ତ୍ରୀ ଭାବେ  ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାରଣ୍ଡି ଶପଥ ନେବେ । ଆସନ୍ତାକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ନେବେ ଶପଥ । ତେବେ କିଏ କେଉଁ ବିଭାଗ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ସକାଳେ ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।

 ସୂଚନାଥାଉକି ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପଦରୁ ସମୀର ଦାଶ ଓ  ଶ୍ରମ ବିଭାଗ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ନବ ଦାସଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିଲା ସ୍ୱାସ୍ଥ୍ୟ ବିଭାଗ । ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତପା ଦେଇଥିଲେ । ବର୍ତ୍ତମାନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ଯ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ସେହିପରି ଶ୍ରମ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ସୁଦାମ ମାରାଣ୍ଡି:ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ । ନବୀନଙ୍କ ଚତୁର୍ଥ ପାଳିରେ ସେ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ପରେ ୨୦୧୭ରେ ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ି ପଞ୍ଚମ ପାଳିରେ ପୁଣି ମନ୍ତ୍ରିମଣ୍ଡଳକୁ ଫେରି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦାୟିତ୍ବ ସମ୍ଭାଳିଥିଲେ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସେ ବାଦ ପଡ଼ିଥିଲେ । ଏବେ ପୁଣିଥରେ ନବୀନଙ୍କ ଟିମରେ ସ୍ଥାନ ପାଇଛନ୍ତି ସୁଦାମ ।

ବିକ୍ରମ କେଶରୀ ଆରୁଖ: ୧୯୯୫ ମସିହାରୁ ଲଗାତର ୫ ଥର ଭଞ୍ଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ବିକ୍ରମ । ୨୦୦୮ ମସିହାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ଅର୍ଥାତ ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଏହି ପାଳିରେ ସେ ୫ ବର୍ଷ ମନ୍ତ୍ରୀ ହେବା ସହ ୨୦୧୪ରେ ବି ପୁଣି ପାଞ୍ଚ ବର୍ଷ ପାଇଁ ମନ୍ତ୍ରୀ ହୋଇଥିଲେ। ନବୀନଙ୍କ ପଞ୍ଚମ ପାଳିରେ ବି ସେ ଜଙ୍ଗଲ, ପରିବେଶ ଓ ସଂସଦୀୟ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ସେ ବାଚସ୍ପତି ହୋଇଥିଲେ ।

ସାରଦା ପ୍ରସାଦ ନାୟକ: ଆସନ୍ତାକାଲି ନୂଆ ମନ୍ତ୍ରୀ ଭାବେ ଶପଥ ନେବେ ସାରଦା ପ୍ରସାଦ ନାୟକ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ ସାରଦା ପ୍ରସାଦ ନାୟକ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କ୍ୟାବିନେଟ ମନ୍ତ୍ରୀ ହେବେ । ପୂର୍ବରୁ ମଧ୍ୟ ତାଙ୍କର ମନ୍ତ୍ରୀ ହେବାର ଅଭିଜ୍ଞତା ରହିଛି । ତାଙ୍କ ନାଁ ଘୋଷଣା ପରେ ସେ କହିଛନ୍ତି, ”ମୁଖ୍ଯମନ୍ତ୍ରୀଙ୍କ ନିକଟରେ କାମ କରିବାର ସୁଯୋଗ ପାଇବା ଭାଗ୍ୟର କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସେବକ । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ଆନନ୍ଦର ସହ ଗ୍ରହଣ କରିବି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ୱରେ ପରିଚୟ ପାଇଛି । ”