ତକିଆରେ ଚାପି ହୋଇ ୨୩ ଦିନର ଶିଶୁ ମୃତ, ଶୋଇଥିଲା ମାଆ ପାଖରେ….

କୋଲକାତା: ମାଆ ପାଖରେ ଶୋଇଥିବା ବେଳେ ତକିଆରେ ଚାପି ହୋଇ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି । ଏହି ଘଟଣାଟି ଶନିବାର ଦିନ ପୂର୍ବ କୋଲକାତାର ପ୍ରଗତି ମୈଦାନ ଥାନା ଅଞ୍ଚଳରେ ଘଟିଥିଲା ।

ମଧ୍ୟମଗ୍ରାମ ବାସିନ୍ଦା ଦିବାକର ମଣ୍ଡଳଙ୍କ ପତ୍ନୀ ଅପର୍ଣ୍ଣା ଦାସ ଗତ ୨୩ ଦିନ ପୂର୍ବେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଶିଶୁ ଜନ୍ମ ପରଠାରୁ ସେ  ନିଜ ବାପ ଘରେ ରହିଆସୁଥିଲେ । ଶନିବାର ଦିନ ସେ ଖାଇସାରି ଛୁଆ ସହ ଶୋଇପଡିଥିଲେ । ହେଲେ ତାଙ୍କ ନିଦ ଭାଙ୍ଗିବା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ଶିଶୁଟି ଖଟରୁ ତଳକୁ ଯେପରି ନପଡେ ସେଥିପାଇଁ ସେ ତା’ ନିକଟରେ ତକିଆ ରଖିଥିଲେ । କିନ୍ତୁ ସେ ଶୋଇକି ଉଠିଲା ବେଳକୁ ଛୁଆଟି ତକିଆ ତଳେ ଚାପି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ସେ ସାଙ୍ଗେସାଙ୍ଗେ ଛୁଆ ମୁହଁରୁ ତକିଆ ହଟାଇ ଦେଇଥିଲେ ମଧ୍ୟ ଶରୀରରେ କିଛି ହଲଚଲ ନଥିଲା । ଯାହା ପରେ ତାକୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ତେବେ ଶିଶୁ କନ୍ୟାର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 

Leave a Reply