କାନପୁରରେ ଜିକା ଭାଇରସର ଆତଙ୍କ, ଗର୍ଭବତୀ ମହିଳାଙ୍କ ସହ ୧୪ ସଂକ୍ରମିତ
1 min readକାନପୁର: ଉତ୍ତର ପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମଣରେ ୧୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ବେଳେ ଏଯାବତ୍ ମୋଟ୍ ରୋଗୀଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ସହରରେ ଜିକା ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଡିଏମ୍ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୖେଠକ କରିଛନ୍ତି । କାନପୁରର ଚକେରୀ ଅଞ୍ଚଳରେ ପ୍ରଥମେ ୬ଟି ମାମଲା ଚିହ୍ନଟ ହୋଇଥିଲା । ନଭେମ୍ବର ୧ରେ ଚିହ୍ନଟ ହୋଇଥିବା ୬ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ଥିଲେ ।
କେମିତି ବ୍ୟାପେ ଜିକା ଭାଇରସ୍?
ମଶା ଦ୍ୱାରା ବ୍ୟାପିଥାଏ ଜିକା ଭାଇରସ୍ । ଆଉ ଏଡିଜ୍ ଏଜିପ୍ଟି ନାମକ ଏକ ପ୍ରଜାତିର ମଶା ଠାରୁ ଏହା ବ୍ୟାପିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ମୁତାବିକ, ଏହି ମଶା ଦିନରେ କାମୁଡିଥାଏ । ଖାସ୍ କରି ଜିକା ଭାଇରସ୍ ଗର୍ଭବତୀ ମହିଳାଙ୍କ ଉପରେ ଅଧିକ କୁ-ପ୍ରଭାବ ପକାଇଥାଏ । ଏପରିକି ଭୃଣ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ ।
ଜିକାର ଲକ୍ଷଣ ଡେଙ୍ଗୁ ଭଳି ରହିଥାଏ । କିନ୍ତୁ ଏହା ଅଧିକ ଘାତକ ଓ ମାରାତ୍ମକ ସାବ୍ୟସ୍ତ ହୋଇଥାଏ। ଜ୍ୱର ଆସିବା ଓ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଭଳି ଲକ୍ଷଣ ସଂକ୍ରମିତଙ୍କ ଶରୀରରେ ଦେଖାଯାଇଥାଏ । ବ୍ୟାପୁଥିବା ଜିକା ଭାଇରସକୁ ଦେଖି ପ୍ରଶାସନ ମଧ୍ୟ ଆକ୍ସନ ମୋଡରେ ରହିଛି । ରୋଗୀଙ୍କ ଚିକିତ୍ସା କାଶୀରାମ ହସ୍ପିଟାଲରେ କରାଯାଉଥିବା ବେଳେ ଜିକା ପାଇଁ ସ୍ୱତନ୍ତ୍ର ୱାଡ୍ କରାଯାଇଛି । ଭାଇରସ ସଂକ୍ରମଣକୁ କମ୍ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି ।