ଜାଲ୍ ଆଧାର କାର୍ଡଧାରୀ ସାବଧାନ; ଗଣିବେ ୧ କୋଟି ଜରିମାନା

ନୂଆଦିଲ୍ଲୀ: ଜାଲ୍ ଆଧାର କାର୍ଡଧାରୀ ସାବଧାନ । ଗଣିବାକୁ ପଡିପାରେ ଜୋରିମାନା । ହଜାରେ କି ଦୁଇ ହଜାର ନୁହେଁ । ୧ କୋଟି ଟଙ୍କା ଦେଇପାରନ୍ତି ଜୋରିମାନା । ଏନେଇ ଭାରତର ଏକକ ପରିଚୟପତ୍ର କର୍ତ୍ତୃପକ୍ଷ ବା ୟୁଆଇଡିଏଆଇକୁ କ୍ଷମତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଦେଶରେ ପରିଚୟପତ୍ର ପରିଚାଳନା କାର୍ଯ୍ୟର ଟିକିନିଖି ଯାଞ୍ଚ କରିବା ପାଇଁ ଜଣେ ଉଚ୍ଚକ୍ଷମତା ସମ୍ପନ୍ନ ଅଧିକାରୀ ବା ଆଡଜଡିକେଟିଂ ଅଫିସରଙ୍କୁ ନିଯୁକ୍ତି ଲାଗି ୟୁଆଇଡିଏଆଇଙ୍କୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର ସରକାର । ସରକାର ଗତ ୨ ତାରିଖରେ ୟୁଆଇଡିଏଆଇ ବିଚାରଗତ ଜୋରିମାନା ନିୟମାବଳୀ ୨୦୨୧ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ନିୟମାବଳୀ ଅନୁସାରେ ୟୁଆଇଡିଏଆଇ ଆଧାର କାର୍ଡ ସମ୍ପର୍କରେ କଡା ନିଷ୍ପତ୍ତି ନେଇପାରିବ ଏବଂ ଅଭିଯୋଗ ଦାୟର କରିପାରିବ ।

ଜାଲ୍ ଆଧାର କାର୍ଡ ମାମଲା ନେଇ ୟୁଆଇଡିଏଆଇର ଅଭିଯୋଗ କ୍ରମେ ଉକ୍ତ ଅଧିକାରୀ ବିଚାର କରିବେ ଏବଂ ନିୟମାବଳୀ ଅନୁସାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରିପାରିବେ। ଆଡଜଡିକେଟିଂ ଅଫିସରଙ୍କ ବିରୋଧରେ ଜଣେ ବ୍ୟକ୍ତି କେବଳ ଟେଲିକମ ବିବାଦ ସମାଧାନ ଓ କ୍ଷମତାପ୍ରାପ୍ତ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିପାରିବେ । ଜାଲ୍ କାର୍ଡଧାରୀଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ସରକାର ଆଧାର ଓ ଅନ୍ୟାନ ଆଇନ ସଂଶୋଧନ ଆଇନ ୨୦୧୯ ଗୃହିତ କରିଥିଲେ । ବର୍ତ୍ତମାନର ଆଧାର ଆଇନ ଅନୁସାରେ ବେଆଇନ କାର୍ଡଧାରୀଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ୟୁଆଇଡିଏଆଇକୁ କ୍ଷମତା ପ୍ରଦାନ କରାଯାଇନାହିଁ । ଏହି ଆଡଜଡିକେଟିଂ ଅଫିସରଙ୍କ ଯୋଗ୍ୟତା ଅତି କମରେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବସ୍ତରୀୟ ହେବ । ସେ ଅତିକମରେ ୧୦ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିବେ । ଏହି ଅଫିସର ଯେଉଁ ଜରିମାନା ଧାର୍ଯ୍ୟ କରିବେ ତାହା ୟୁଆଇଡିଏଆଇ ପାଣ୍ଠିରେ ଜମା ହେବ । ଯଦି ଦୋଷୀ ବ୍ୟକ୍ତି ଏହି ଅର୍ଥ ଜମା କରିପାରିବେ ନାହିଁ ତେବେ ତାଙ୍କର ଜମିବାଡି ମଧ୍ୟ ଜବତ କରାଯାଇ ପାରିବ ।

Leave a Reply