ବଜାରରେ ମହଙ୍ଗା ନିଆଁ, ଜନତାଙ୍କ ତ୍ରାହି ତ୍ରାହି

1 min read

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାର ଆସିବ । ଦେଶ ଦେଖିବ ‘ଅଛେ ଦିନ୍‌’ । ସବ୍ କା ସାଥ୍‌, ସବ୍ କା ବିଶ୍ୱାସ୍ । ଭୋଟ ବେଳେ ଏମିତି ମନଲୋଭା ପ୍ରତିଶ୍ରୁତି ଦେଲା ବିଜେପି । ଶାସନ ଗାଦିରେ ବସିବା ପରେ ପ୍ରତିଶ୍ରୁତି ପାଲଟିଗଲା ପାଣିର ଗାର । ସାରା ଦେଶର ଲୋକ ଏବେ ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ । ଅଣନିଃଶ୍ୱାସୀ ହୋଇଗଲାଣି ଜୀବନ । ଦେଶବାସୀ ଡାକୁଛନ୍ତି ତ୍ରାହି ତ୍ରାହି ।

ବଜାରରେ ଲାଗିଛି ନିଆଁ । ପେଟ୍ରୋଲ ଲିଟର ୧୧୧ ଟଙ୍କା । ଡିଜେଲ ୧୦୮, ରନ୍ଧନଗ୍ୟାସ୍ ସିଲିଣ୍ଡରର ବଜାର ମୂଲ୍ୟ ୯୨୬ ଟଙ୍କା । ଖାଦ୍ୟ ପଦାର୍ଥର ମୁଦ୍ରାସ୍ଫିତୀ ବଢ଼ି ବଢ଼ି ଚାଲିଛି । ଖାଇବା ତେଲରୁ ଆରମ୍ଭ କରି ଡାଲି, ଆଳୁ, ପିଆଜ ଓ ପନିପରିବା ଯାଏ ଦର ଏବେ ଆକାଶଛୁଆଁ । ଛୁଇଁଲେ କରେଣ୍ଟ୍ ମାରୁଛି । ଦରବୃଦ୍ଧିର ସିଧା ପ୍ରଭାବ ପଡ଼ିଛି ହାଣ୍ଡିଶାଳ ଉପରେ । ଯୁଆଡ଼କୁ ଗଲେ କେନ୍ଦ୍ର ବିରୋଧରେ ଅସନ୍ତୋଷ ଆଉ ବିଷୋଦଗାର୍ । କ୍ରମାଗତ ଭାବେ ଦରବୃଦ୍ଧି ସାଧାରଣ ଜୀବନକୁ ଦୁର୍ବିସହ କରିଛି । ସାରା ଓଡ଼ିଶାରେ ଏବେ କେନ୍ଦ୍ର ବିରୋଧରେ ପ୍ରତିବାଦର ସ୍ୱର । ତେଲ ଦର କମାଅ, ଆମକୁ ବଞ୍ଚାଅ । ତେଲର ଏଭଳି ଅହେତୁକ ଦରବୃଦ୍ଧି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ଆଗକୁ ଠେଲିଛି । ରାଜ୍ୟର ସାଢ଼େ ୪ କୋଟି ଲୋକ ଏଥିରେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି । ଏଭଳି ଦରବୃଦ୍ଧି ପାଇଁ କେନ୍ଦ୍ରର ଅପରିଣାମଦର୍ଶୀ ନୀତି ଓ ଖାମଖିଆଲ ମନୋଭାବକୁ ଦାୟୀ କରାଯାଉଛି । ସାରା ଦେଶ ମହାମାରୀ କରୋନା କବଳରେ କବଳିତ।

ମହାମାରୀ କରୋନା ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି । କରୋନା ପ୍ରଭାବରେ ଦେଶରେ ପ୍ରାୟ ୪୧ ଲକ୍ଷ କାମ ହରାଇଛନ୍ତି ବୋଲି ରିପୋର୍ଟ (ଆଇଏଲ୍‌ଓ-ଏଡିବି) କହୁଛି । ଶିଳ୍ପ, ବିନିର୍ମାଣ, ବିମାନ ଚଳାଚଳ, ଗଣମାଧ୍ୟମ,ମନୋରଞ୍ଜନ, ରିଏଲ ଇଷ୍ଟେଟ୍ ଆଦି ସବୁ କ୍ଷେତ୍ରରେ ନିଯୁକ୍ତିକୁ ପ୍ରାୟ ୫୦ ପ୍ରତିଶତ ପୋଛି ନେଇଛି କରୋନା । ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶ୍ରମିକଙ୍କ ସଂଖ୍ୟା ମିଶାଇଲେ କରୋନାରେ ୨ କୋଟିରୁ ଅଧିକ ଲୋକ କାମ ହରାଇଛନ୍ତି । ପରିସଂଖ୍ୟାନ କହୁଛି, ଦେଶରେ ପ୍ରାୟ ସାଢ଼େ ୫ କୋଟି ଯୁବକ ନିଯୁକ୍ତି ଅପେକ୍ଷାରେ । ୨୦ ରୁ ୨୯ ବର୍ଷ ମଧ୍ୟରେ ୩ କୋଟି ପାଖାପାଖି ଯୁବକ ଯୁବତୀ ଏଥିରେ ଅଛନ୍ତି । ଏ ବୟସରେ କର୍ମନିଯୁକ୍ତି ଜରୁରୀ ଥିଲା ବେଳେ ଏମାନଙ୍କ ସଂଖ୍ୟାର ୩୩% ଏବେ ବି ଚାକିରି ଅପେକ୍ଷାରେ ଛଟପଟ ହୋଇ ଦିନ କାଟୁଛନ୍ତି । ୨୦ ରୁ ୪୫ ବର୍ଷ ମଧ୍ୟରେ ବେକାରଙ୍କ ସଂଖ୍ୟାକୁ ମିଶାଇଲେ ଜନସଂଖ୍ୟାର ୨୧ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କ ପାଖରେ କାମଧନ୍ଦା ନାହିଁ ।

ସିଏମ୍‌ଆଇଇ (ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି) ଦର୍ଶାଇଛି, ମାନବ ସମ୍ବଳର ପ୍ରାୟ ୪୦ ପ୍ରତିଶତଙ୍କ ଭବିଷ୍ୟତ ଏବେ ଅନ୍ଧାର । କିଏ ଚାକିରିରୁ ଛଟେଇ ହୋଇଛି ତ ଆଉ କିଏ ଅଧା ଦରମାରେ ଖଟୁଛି । ଏଭଳି ସଂକଟ ସମୟରେ କେନ୍ଦ୍ରର ମହଙ୍ଗା ମାଡ଼ ଜୀବନକୁ ଆହୁରି ଦୁର୍ବିସହ କରିଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କେନ୍ଦ୍ର ତେଲରୁ ୧ ଲକ୍ଷ ୭୦ ହଜର କୋଟିର ଟିକସ ଆୟ କରିଛି । ଗତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୬ ମାସ ତୁଳନାରେ ଏହା ୩୩ ପ୍ରତିଶତ ଅଧିକ । କରୋନା ମହାମାରୀ ପୂର୍ବବର୍ଷ ସହ ତୁଳନା କଲେ ଏହା ପ୍ରାୟ ୮୦% ଅଧିକ । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ମନଇଛା ସେସ୍ ଲଗାଇଛି । ଏଥିରୁ କେନ୍ଦ୍ର ବାର୍ଷିକ ପ୍ରାୟ ସାଢ଼େ ୪ ଲକ୍ଷ କୋଟିର ଆୟ କରୁଛି । ଏ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରର ବିଜେପି ସରକାର ଆନ୍ତରିକତା ଦେଖାଉ ନାହାନ୍ତି । କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ଉତ୍କଟ ହେବାରେ ଲାଗିଛି । ଏପଟେ ସିନା କେନ୍ଦ୍ର ନିଜ ରାଜକୋଷ ମୋଟା କରୁଛି, ଏପଟେ ସାଧାରଣ ଲୋକ କିନ୍ତୁ ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ରାଜ୍ୟରେ ଶାସକ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଳାଇଲେଣି ।

ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି । ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନସ୍ତରରେ ଦଳ ପକ୍ଷରୁ ପ୍ରତିବାଦ ଆରମ୍ଭ ହୋଇଛି । କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ପଡ଼ିଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବଢ଼ିଛି । ଦରବୃଦ୍ଧି ଯନ୍ତ୍ରଣା ରେ ଜୀବନ ଏବେ କଲବଲ ।

Leave a Reply