୧୨ ଜିଲ୍ଲାରେ ପ୍ରବଳ ଛେଚିବ

1 min read

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଭିଜୁଛି ଉପାନ୍ତରୁ ଉପକୂଳ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି । ତଳିଆ ଅଞ୍ଚଳରେ ସୃଷ୍ଟିହେବ ଜଳମଗ୍ନ ପରିସ୍ଥିତି । ଆକସ୍ମିକ ବନ୍ୟା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଝାଡଖଣ୍ଡ ମୁହାଁ ହେବ ।

ପ୍ରଭାବରେ ଆହୁରି ଦୁଇଦିନ ନିର୍ଧୁମ କାଚିବ । ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା ନୂଆପଡା, ବରଗଡ, ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଲଘୁଚାପର ପ୍ରଭାବ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ । ଫଳରେ ନଦୀ ଗୁଡିକ ପୁଣି ଫୁଲିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀରେ ମୁଣ୍ଡଳିଠାରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ଜଳ ସ୍ତର ଖସିବାରେ ଲାଗିଛି । ହୀରାକୁଦ ସ୍ଥିତି ସ୍ବାଭାବିକ ଅଛି । ହୀରାକୁଦ ଜଳଭଣ୍ଡାରରେ ୬୨୮ ଫୁଟ ପାଣି ଅଛି । ଜଳଭଣ୍ଡାରରେ ଆହୁରି ପାଣି ରହିବାର କ୍ଷମତା ଅଛି । ଫଳରେ ସମସ୍ତ ଗେଟ୍କୁ ବନ୍ଦ କରିଦିଆ ଯାଇଛି । ଆଜି ଉପରମୁଣ୍ଡରେ ଆଉ ତଳମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।