ଲଗାଣ ବର୍ଷାରେ ବେହାଲ୍ ହାଇଦ୍ରାବାଦ୍, ପାଚେରି ଭୁଶୁଡି ଜଣେ ଶିଶୁ ସମେତ ୯ଜଣଙ୍କ ମୃତ୍ୟୁ

1 min read

ହାଇଦ୍ରାବାଦ୍: ଲଗାଣ ବର୍ଷାରେ ବେହାଲ୍ ହାଇଦ୍ରାବାଦ୍ । ୨୪ ଘଣ୍ଟା ମଧ୍ୟରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ପରେ ସମଗ୍ର ସହର ଜଳମଗ୍ନ । କିଛି ସ୍ଥାନରେ ମଣିଷ ମୋଟରସାଇକେଲ ସହିତ ଭାସିଯାଉଥିବାର ଦେଖିବାକୁ ମିଳିଛି । ଆଜି ମଧ୍ୟ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି । ହାଇଦ୍ରାବାଦର ବାନ୍ଦଲଗୁଡା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପାଚେରି ଭୁଶୁଡି ଜଣେ ଶିଶୁଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଛି । ଡେବ୍ରିସ ତଳେ ମୃତଦେହ ଫସିରହିଛି ।

ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘର ଉପରେ ପାଚେରୀ ଭୁଶୁଡ଼ିବାରୁ ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦରେ ଏପର୍ଯ୍ୟନ୍ତ ୧୧ଜଣଙ୍କ ମୃତ୍ୟୁ ହୋଇଛି । ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିଛି । ରାସ୍ତା ଘାଟ ଜଳମଗ୍ନ ହୋଇଛି । ଅଟାପୁର ମୁଖ୍ୟ ରାସ୍ତା, ମୁଶିରାବାଦ, ଟୋଲ ଚୌକି, ଦମିଗୁଡ଼ା ଅଞ୍ଚଳରେ ପାଣି ଭରିରହିଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ସବୁଠି ଯାତାୟତ ଠପ୍ ହୋଇଯାଇଛି ।

ତଳିଆ ଅଞ୍ଚଳରେ ଘରେ ପାଣି ପଶିଛି । ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ହାଇଦ୍ରାବାଦରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିବା ତେଲେଙ୍ଗାନା ମୁଖ୍ୟ ସଚିବ କହିଛନ୍ତି । ହାଇଦ୍ରାବାଦ ସମେତ ଅନ୍ୟ ସହରରେ ବର୍ଷା ପରର ସ୍ଥିତି ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିଛନ୍ତି । ଏଥିସହ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ନିଜ ନିଜ ଘରେ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏକ ଉଚ୍ଚ ସ୍ତରୀୟ ବୈଠକ କରୁଛନ୍ତି। ତଳିଆ ଅଞ୍ଚଳରେ AIMIM ସାଂସଦମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

Leave a Reply