ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ପରେ ପିଆଇଲେ ପରିସ୍ରା, ଭିଡ଼ିଓ ହେଲା ଭାଇରାଲ

ଭଦ୍ରକ: ଦିନକୁ ଦିନ ନୃଂଶସ ହେବାରେ ଲାଗିଛି ମଣିଷ । ମଣିଷର ମଣିଷ ପଣିଆ ହେଉଛି ତାହାର ପ୍ରକୃତ ପରିଚୟ । କିନ୍ତୁ ଆଜିର ସଭ୍ୟ ସମାଜରେ ହଜିଯାଇଛି ମଣିଷପଣିଆ । କେତେବେଳେ ଭିକ ମାଗିଲେ ମାଡ଼ ମିଳୁଛି ତ କେତେବେଳେ କିଏ ପେଟ ପୁରା ଖାଇବାକୁ ଦେଉଛି । କିନ୍ତୁ ଏଭଳି ସମାଜରେ ଏମିତି ବି ମଣିଷ ଅଛନ୍ତି ଯେଉଁମାନଙ୍କୁ ପାଣି ମାଗିଲେ ପିଇବାକୁ ଦିଆଯାଉଛି ପରିସ୍ରା ।

ଏପରି ଅମାନବୀୟ ଘଟଣା ଦେଖିବାକୁ ମିଲିଛି ତିହିଡି ଥାନା ବାଉଁଶବାଗ ଗାଁରେ । ପରକୀୟା ପ୍ରୀତି ଅଭିଯୋଗରେ କିଛି ଲୋକ ସଂଘବଦ୍ଧ ଭାବେ ଜଣେ ବ୍ୟକ୍ତିଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି । ଯୁବକଙ୍କ ଘରେ ପସି ଗାଡି ଭଙ୍ଗା ରୁଜା କରିଛନ୍ତି। ଏଥିରେ ବିରୋଧ କରିବାରୁ, ଲୋକମାନେ ଉତ୍ୟକ୍ତ ହୋଇ ଲଣ୍ଡା କରି, ଚୂନ କାଳୀ ମଧ୍ୟ ବୋଳିଥିଲେ ଏହାପରେ ଯୁବକଟିର ବେକରେ ଜୋତା ମାଳ ପକାଇ ପୂରା ଗାଁ ବୁଲାଯାଇଥିଲା ।

ସେତିକିରେ ମନ ମାନିଲାନି ଏମାନଙ୍କର, ଯୁବକ ଜଣକ ଦୟନୀୟ ଅବସ୍ଥାରେ ପାଣି ମାଗିବାରୁ, ତାକୁ ପରିସ୍ରା ପିଆଇ ଦେଇଥିଲେ ଲୋକେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗାଁ ଲୋକ ସମସ୍ତେ ଏହି ଘଟଣା ଦେଖୁଥିଲେ କିନ୍ତୁ କେହି କିଛି କହିନଥିଲେ । ଏହାକୁ ନେଇ ଥାନାରେ ମାମଲା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏପରି ନିର୍ଯାତନା ଦେଉଥିବା ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା । ଏଥିପାଇଁ ଏପରି ନିର୍ଯାତନା ଦିଆଯାଇଛି । ଘଟଣାରେ ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

Leave a Reply