ଓଡ଼ିଶା କଂଗ୍ରେସ : ଚେଲ୍ଲା କୁମାରଙ୍କ ନିଯୁକ୍ତି କେତେ ପରିବର୍ତ୍ତନ ଆଣିପାରିବ…

1 min read

୧୫ ।୯(ଦତ୍ତାତ୍ରେୟ ନାୟକ)- ରାଜ୍ୟ କଂଗ୍ରେସର ବିଦ୍ରୋହୀ ବାୟୁମଣ୍ଡଳ  ଦଳ ପାଇଁ ଏକ ବଡ଼ ସମସ୍ୟା । କିଏ ନେତା, କାହାରିକୁ ଜଣାନାହିଁ । ବିରୋଧ ବେଳେ ସଭିଏଁ ସ୍ୱର ଉଠାଇବାକୁ ବାହାରି ଆସିବେ, ହେଲେ ଦାୟିତ୍ୱ ପାଇଁ ଦକ୍ଷତା କାହାରି ପାଖେ ଥିବା ଭଳି ମନେ ହୁଏ ନାହିଁ । ନିରଞ୍ଜନ ପଟ୍ଟନାୟକ ସଭାପତି ଥାଇ ବି ନ ଥିବା ପରି ମନେ ହେଉଛନ୍ତି । ସେ ଦାୟିତ୍ୱ ନେବା ପୂର୍ବରୁ ଯେପରି ରୀତିମତ ନିଜ ଅନୁଗତଙ୍କୁ ନେଇ ଦିଲ୍ଲୀ ଦରବାରରେ ହାଜିର ହେଉଥିଲେ । ଏବେ ଠିକ୍ ସେମିତି ତାଙ୍କ ବିରୋଧରେ ବିଭିନ୍ନ ଗୋଷ୍ଠୀ ଦିଲ୍ଲୀ ଦରବାରରେ ହାଜିରା ପକାଉଛନ୍ତି । ଏହି କଥା ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଚାଲି ଆସିଛି । ହେଲେ ଏ ସବୁ ମଧ୍ୟରେ କଂଗ୍ରେସ ସମ୍ପର୍କରେ ଆଲୋଚନା ନେଇ ଆବଶ୍ୟକତା ନେଇ ମଧ୍ୟ କେତେକ ପ୍ରଶ୍ନ ଉଠାଇଲାଣି । କେତେକଙ୍କ ମତରେ କଂଗ୍ରେସ ରାଜ୍ୟରେ ନିଜର ରାଜନୈତିକ ସ୍ଥିତି ହରାଇଛି । ଏ ସମ୍ପର୍କରେ କୌଣସି ଆଲୋଚନାର ଆବଶ୍ୟକତା ନାହିଁ ବୋଲି ମତ ଦେଉଛନ୍ତି ।

ନିକଟରେ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ଏକ ପରିବର୍ତ୍ତନ ହୋଇଛି । ଏହି ଆଧାରରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ହଟାଇ ଦିଆଯାଇଛି । ଓଡ଼ିଶା ବଦଳରେ ତାଙ୍କୁ ଆସାମ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିତେନ୍ଦ୍ର ସିଂ ପ୍ରଭାରୀ ହେବା ପରେ ଓଡ଼ିଶାକୁ ଭଲରେ ଚିହ୍ନିଗଲେ । ଓଡ଼ିଶାବାସୀ ବି ତାଙ୍କୁ । ତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ନେତା ଉଞ୍ଚାଉଞ୍ଚି ହେଲେ । ଦାବି ଜଣାଇବା ଆଳରେ ପତିଆରା ଦେଖାଇଲେ । କଂଗ୍ରେସ ଭବନରେ ବାଉନସର ପସିଲେ ।  ତେବେ ପ୍ରଶ୍ନ ଏହା ଜିତେନ୍ଦ୍ର ସିଂହ ଓଡ଼ିଶା ଦାୟିତ୍ୱ ନେଇ କଲେ କ’ଣ? କେତେ କାମ କଲେ, ସେନେଇ କାହାକୁ ରିପୋର୍ଟ କଲେ । ସେ ରିପୋର୍ଟ ଆଧାରରେ ଜଣାଯିବ ସେ ରାଜ୍ୟ କଂଗ୍ରେସ ପାଇଁ ସେ କେତେ କାମ କରିଛନ୍ତି । ହାଇକମାଣ୍ଡ ଓ ରାଜ୍ୟ ସଙ୍ଗଠନ ଭିତରେ ସେ ଯୋଗସୂତ୍ର । ଯଦି ହଁ, ତେବେ ଥରୁଟିଏ ବି ଦଳର ବିଦ୍ରୋହୀଙ୍କୁ ବସାଇ ଆଲୋଚନା କରିପାରିଲେ କି ? ନା’ । ଆରମ୍ଭ ଦିନରୁ ତାଙ୍କ ମୁହଁରେ ଗୋଟିଏ କଥା ‘ ନିରଞ୍ଜନ ଦାୟିତ୍ୱରେ ରହିବେ । ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ’  । ପ୍ରଭାରୀଙ୍କ ଏହି ହାବଭାବ ହିଁ ଭୁଲ ଥିଲା । ପ୍ରଭାରୀ ଓଡିଶା ଆସିବା ପୂର୍ବରୁ ତାଙ୍କର ପିସିସିଙ୍କ ସହ କ୍ଷୀରନୀରର ସମ୍ପର୍କ ଲାଗିଯାଉଛି । ତେଣୁ ଦଳ ଭିତରେ ଓ ବାହାରେ କ’ଣ ଚାଲୁଛି ତାଙ୍କୁ ଜଣାପଡୁନାହିଁ । ରାଜ୍ୟ କଂଗ୍ରେସକୁ ସଜାଡ଼ିବା ପାଇଁ ସେ ଯେଉଁ ରାସ୍ତା ଧରିଥିଲେ ତାହା ଖାଲି ଯେ ଭୁଲ ଥିଲା ତାହା ନୁହେଁ ବରଂ ବିଦ୍ରୋହୀଙ୍କର ଆକ୍ରୋଶ ମଧ୍ୟ ବଢାଇଥିଲା ।

ଯେତେବେଳେ ଜିତେନ୍ଦ୍ର ଦାୟିତ୍ୱ ନେଇଥିଲେ , ସେ ସମୟରେ ଜୋନସ୍ତରୀୟ ସଭାପତି ନିଯୁକ୍ତ କରିଥିଲେ । ନିଜ ଅନୁସାରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ପିସିସି ସଭାପତି ଚାହୁଁଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇଥିଲେ । ହେଲେ ତା’ର ଫଳାଫଳ କଂଗ୍ରେସକୁ କ’ଣ ମିଳିଲା ସମସ୍ତଙ୍କୁ ଜଣା । ତାଙ୍କର ମୂଲ୍ୟାୟନ କରି ଏଆଇସିସି କ’ଣ ତାଙ୍କୁ ଆସାମ ଦାୟିତ୍ୱ ଦେଲା କି? କାରଣ ଓଡ଼ିଶା ପୂର୍ବରୁ ଆସାମରେ ବିଧାନସଭା ନିର୍ବାଚନ ହେବାର ଅଛି । ସେ ଛାଡି ଯାଇଥିବା କାର୍ଯ୍ୟ ପରବର୍ତ୍ତୀ ପ୍ରଭାରୀ ଚେଲା କୁମାର ଆଗକୁ ନେବେ ତ । ନାଁ ସେ ନିଜ ଅନୁସାରେ କାର୍ଯ୍ୟ କରିବେ । ତେଣୁ ଜିତେନ୍ଦ୍ର ସିଂ ଏବଂ ପିସିସି ସଭାପତି ନିରଞ୍ଜନ ବିଫଳ ହୋଇଛନ୍ତି କହିଲେ କିଛି ଭୁଲ୍ ହେବ ନାହିଁ ।

ଏବେ ଆସିବା ଚେଲା କୁମାରଙ୍କ ନିଯୁକ୍ତ ପ୍ରସଙ୍ଗକୁ । ଚେଲ୍ଲା କୁମାର । ଦି’ ଦି’ ଥର ସାଂସଦ । ନିର୍ବାଚନରେ ସଫଳ ହେଲେ ବି ପ୍ରଭାରୀ ଭାବେ ସେ ମଧ୍ୟ ବିଫଳ । ଏହା ଆମେ ନୁହେଁ , ତାଙ୍କ ପୂର୍ବ ରେକର୍ଡ କହୁଛି । ଗୋଆରେ କଂଗ୍ରେସ ଚାହିଁଥିଲେ ସରକାର କରି ପାରିଥାଆନ୍ତା, ହେଲେ ତାହା ହୋଇ  ନ ଥିଲା । ଏହାର କାରଣ ଦିଗବିଜୟ ସିଂଙ୍କ ଦୂରଦର୍ଶିତା ଅଭାବ । ଏହାର ଫଳ ସ୍ୱରୂପ ତାଙ୍କୁ ପରବର୍ତ୍ତୀ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରୁ ବିଦା କରାଗଲା । ତାଙ୍କ ପରେ ଚେଲା କୁମାର ଦାୟିତ୍ୱ ଗ୍ରହଣ କଲେ । ଆଉ ଚେଲ୍ଲାଙ୍କ ସମୟରେ ହିଁ ଡର୍ଜନ ଡର୍ଜନ  କଂଗ୍ରେସ ନେତା ବିଜେପିରେ ଅନାୟସରେ ମିଶିଗଲେ । ତେଣୁ ଏହା ବିଫଳତା କି ସଫଳତା , ସେ କଥା ସମସ୍ତଙ୍କୁ ଜଣା । ବିଫଳତା ପାଇଁ ଗୋଆ ଦାୟିତ୍ୱରୁ ମୁକ୍ତ କରାଯିବା କଥା ଠିକ୍ ଲାଗୁଛି । ହେଲେ କେଉଁ ସଫଳତା ପାଇଁ ଚେଲ୍ଲାଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଲା, ତାହା ଏବେ ପ୍ରଶ୍ନ ।  କଂଗ୍ରେସ ଯେଉଁ ସମସ୍ୟା ଦେଇ ଗତି କରୁଛି ତା’ ପାଇଁ ଏକ ନିହାତି ନିରପେକ୍ଷ ଓ ଦକ୍ଷ ପ୍ରଭାରୀ ଆବଶ୍ୟକତା ରହିଛି । ଯିଏ ଅସନ୍ତୁଷ୍ଟଙ୍କ ସହ ଆଲୋଚନା କରି ସମସ୍ୟା ପାଇଁ ବାଟ ଖୋଜିବେ । କଂଗ୍ରେସ କର୍ମୀଙ୍କୁ ଯେଉଁ ଏକତ୍ରୀତ କଂଗ୍ରେସ ଦେଖିବାର ଅଛି, ତାହା ଦେଖିବା ସମ୍ଭବ ହେବ । ହେଲେ ରାହୁଲଙ୍କ ରାବାବ୍ ଏବେ ଅଲଗା । ରାଜ୍ୟରେ ନେତୃତ୍ୱ ବଦଳାଇବା ସପକ୍ଷରେ ସେ ନାହାଁନ୍ତି । ତାଙ୍କ ବିଶ୍ୱାସ ବରିଷ୍ଠ ରହିବା ହିଁ ଭଲ । ସେଇଥିପାଇଁ ତ ରାହୁଲ ନିରଞ୍ଜନ ବିରୋଧୀ ସ୍ୱରକୁ ସଂପ୍ରସାରଣ କରିବାର ସୁଯୋଗ ମଧ୍ୟ ଦେଇନାହାନ୍ତି । ଅର୍ଥାତ୍ ଚେଲ୍ଲା କୁମାରଙ୍କୁ ନିରଞ୍ଜନଙ୍କ ରାଜନୀତିରେ ହାତ ନମାରି କଂଗ୍ରେସକୁ ସୁଧାରିବାକୁ ପଡିବ । କେମିତି ହେବ? କେବଳ ପ୍ରଭାରୀଙ୍କ ନାଁ ବଦଳିଗଲେ ତ ହେବ ନାହିଁ ନା । ବିଦ୍ରୋହୀଙ୍କର ଏକ ସନ୍ତୁଳିତ ଦାବିକୁ ମାନିବାକୁ ମଧ୍ୟ ପଡ଼ିପାରେ । ଏସବୁ ପାଇଁ ଏ ଚେଲ୍ଲା କୁମାର ସମର୍ଥ ହେଉଛନ୍ତି କି ନାହିଁ, ତାହା ସମୟ କହିବ ।

ଏସବୁ ବାଦ୍ ଦେଲେ ରାଜନୈତିକ ଦଳର ମୁଖ୍ୟ ସାଧନ ସଙ୍ଗଠନ ହୋଇଥାଏ । ୨୦ ବର୍ଷର କ୍ଷମତା ବିଜେଡିକୁ ରାଜ୍ୟରେ ଘରେ ଘରେ ପରିଚିତ କରିଛି । ଯାହାଦ୍ୱାରା ନେତାମାନେ ଦଳରୁ ଚାଲିଗଲେ କିମ୍ବା ସେମାନଙ୍କ ଆସନ ପରିବର୍ତ୍ତନ ହେଲେ ,ତାହା ଦଳ ଉପରେ କୌଣସି ନକରାତ୍ମକ ପ୍ରଭାବ ପକାଉନାହିଁ । ହେଲେ କଂଗ୍ରେସ ବର୍ତ୍ତମାନ ପ୍ରତିନିଧିମାନେ ନିଜସ୍ୱ ଉଦ୍ୟମରେ ଜିତିଛନ୍ତି । ସେହି ହିସାବରେ ଦେଖିଲେ ସୁର ରାଉତରାୟଙ୍କ ପରେ ଜଟଣୀ କଂଗ୍ରେସ ଏକତ୍ରିତ ରହିବା ଏକ ବିରାଟ ପ୍ରଶ୍ନ । ୨୦୦୯ରେ ତାରାପ୍ରସାଦ ବାବିନୀପତି ବିଜେପିରୁ ଲଢି ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିଲେ । ମହମ୍ମଦ ମୋକ୍କିମ, ନରସିଂହମିଶ୍ର, ସନ୍ତୋଷ ସିଂ ସାଲୁଜା, ରମେଶ ଜେନାଙ୍କୁ ବାଦ୍ ଦେଇ ସେମାନଙ୍କ ସ୍ଥାନରେ କଂଗ୍ରେସ ସଙ୍ଗଠନ ରହିଛି ବୋଲି କହିବା ବି ଶତପ୍ରତିଶତ ଠିକ୍ ହେବ ନାହିଁ । ତେଣୁ ରାଜ୍ୟରେ ଏକ ଦଳୀୟ ସଙ୍ଗଠନ କରିବାକୁ ପଡିବ, ଯାହା ନେତାଙ୍କ ଯିବା ଆସିବାକୁ ପ୍ରଭାବିତ କରିବ ନାହିଁ । ଏ ଦିଗରେ କଂଗ୍ରେସ କାର୍ଯ୍ୟ କଲେ ପୂର୍ବ ଭୋଟବ୍ୟାଙ୍କ ଫେରିବ ବୋଲି ଆଶା କରାଯାଇପାରେ ।

Leave a Reply