କାହାକୁ ମିଳିବ ବିକାଶ ଦୁବେ ଉପରେ ଥିବା ୫ ଲକ୍ଷ ଟଙ୍କାର ପୁରସ୍କାର ?

ଭୋପାଳ : ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ବିକାଶ ଦୁବେ ଗୁରୁବାର ଧରା ପଡିଛି । ତେବେ ଏବେ ପ୍ରଶ୍ନ ଉଠୁଛି ବିକାଶ ଦୁବେ ମୁଣ୍ଡ ଉପରେ ଥିବା ୫ ଲକ୍ଷ ଟଙ୍କାର ପୁରସ୍କାର କାହାକୁ ମିଳିବ । ଯଦି ବିକାଶ ଦୁବେ ୟୁପି ପୋଲିସ ହାତରେ ପଡିଥାନ୍ତା ତେବେ ତା’ର ଏନକାଉଣ୍ଟର ପକ୍କା ଥିଲା । କିନ୍ତୁ ବିକାଶ ପୁଣିଥରେ ୟୁପି ପୋଲିସକୁ ଚକମା ଦେବାରେ ସଫଳ ହୋଇଛି । କାରଣ ବିକାଶ ଚକମା ଦେଇ ମଧ୍ୟପ୍ରଦେଶ ପୋଲିସ ହାତରେ ଧରା ପଡିଛି କିମ୍ବା ଜାଣିଶୁଣି ଧରା ଦେଇଛି ।

୫ ଲକ୍ଷ ଉପରେ ପୋଲିସ ନଜର

ବିକାଶକୁ ମହାକାଳ ମନ୍ଦିର ପରିସରରୁ ଗିରଫ କରାଯାଇଥିଲା । ମହାକାଳ ଥାନା ତାକୁ ଗିରଫ କରିଛି । ଏମିତିରେ ମହାକାଳ ଥାନା ପୋଲିସ ପୁରସ୍କାର ରାଶି ପାଇବ ବୋଲି ଆଶା କରାଯାଉଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ କହିସାରିଛନ୍ତି ଯେ, ରାଜ୍ୟ ପୋଲିସ ସତର୍କ ଥିଲା ,ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ତାକୁ ଗିରଫ କରିଥିଲା ।

ମନ୍ଦିର ସୁରକ୍ଷାକର୍ମୀ

ଏଣେ ମନ୍ଦିର ପରିସରରେ ଥିବା ପ୍ରାଇଭେଟ୍ ଗାର୍ଡ ମଧ୍ୟ ଦାବି କରୁଛନ୍ତି ଯେ, ସେ  ବିକାଶକୁ ଧରାଇଛନ୍ତି । ବିକାଶ ମନ୍ଦିର ଭିତରେ ବୁଲୁଥିବା ବେଳେ ତାକୁ ସେ ପରିଚୟ ପତ୍ର ମାଗିଥିଲେ । ପରିଚୟ ପତ୍ର ଦେଖାଇବା ବଦଳରେ ବିକାଶ ବାହନା କରିଥିଲା । ସୁରକ୍ଷାକର୍ମୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ତାକୁ ଗିରଫ କରିଥିଲା ।

bikash arrest

ମନ୍ଦିର ପୁଜାରୀ

ଏଣେ ମହାକାଳ ମନ୍ଦିର ପୂଜାରୀମାନେ ମଧ୍ୟ ଦାବି କରୁଛନ୍ତି ଯେ,ସେମାନଙ୍କ ପାଇଁ ବିକାଶ ଧରା ପଡିଲା । ମହେଶ ନାମକ ପୂଜାରୀଙ୍କ ଅନୁସାରେ ବିକାଶ ଉପରେ ସେମାନଙ୍କର ସନ୍ଦେହ ହୋଇଥିଲା । ସେମାନେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ତା’ପରେ ବିକାଶ ଧରା ପଡିଥିଲା ।

ଫୁଲ ଦୋକାନୀ

ମନ୍ଦିର ପାଖରେ ଥିବା ଫୁଲ ଦୋକାନୀ ମଧ୍ୟ ବିକାଶ ତାଙ୍କ ପାଇଁ ଧରା ପଡିଛନ୍ତି ବୋଲି ଦାବି କରିଛନ୍ତି । ତାଙ୍କ ଅନୁସାରେ ବିକାଶ ଫୁଲ କିଣିବା ବେଳେ ମାସ୍କ କାଢିଥିଲା । ବିକାଶକୁ ଦେଖି ତାଙ୍କର ସନ୍ଦେହ ହୋଇଥିଲା । ସେ ପୋଲିସକୁ ଖବର ଦେଇଥିଲେ

bikash mahakal
ମହାକାଳ ମନ୍ଦିର ପରିସରରେ ବିକାଶ,ମାସ୍କ ପିନ୍ଧି ଦର୍ଶନ

ସ୍ଥାନୀୟ ମିଡିଆ,ପୋଲିସ ପାଖରେ ଆଗରୁ ଥିଲା ସୂଚନା !

କୁହାଯାଉଛି ଯେ, ଉଜ୍ଜୈନର ସ୍ଥାନୀୟ ମିଡିଆ ଓ ପୋଲିସ ପାଖରେ ବିକାଶକୁ ନେଇ ଆଗରୁ ଖବର ଥିଲା । ବିକାଶକୁ ଯେମିତି ମନ୍ଦିର ବାହାରକୁ ଅଣାଗଲା,ସେମିତି ସେ ‘ମୁଁ ବିକାଶ ଦୁବେ ଏମାନେ ମୋତେ ଧରିନେଲେ ’ ବୋଲି ଚିଲାଇ ଥିଲା । ଏଥିରୁ ଜଣା ପଡୁଛି ଯେ,ସବୁକିଛି ପୂର୍ବ ପ୍ରାୟୋଜିତ ଥିଲା ।

ଉତ୍ତର ପ୍ରଦେଶ ପୋଲିସ କାହାକୁ ଦେବ ପୁରସ୍କାର ?

ମଧ୍ୟପ୍ରଦେଶରୁ ବିକାଶ ଧରା ପଡିବା ପରେ ୫ ଲକ୍ଷ ଟଙ୍କା କାହାକୁ ମିଳିବ ବୋଲି ଉତ୍ତରପ୍ରଦେଶ ଏଡିଜି ପ୍ରଶାନ୍ତ କୁମାରଙ୍କୁ ପଚରା ଯାଇଥିଲା । ଉତ୍ତରରେ ପ୍ରଶାନ୍ତ କହିଥିଲେ ‘‘ ଇଏ ଆଗ କଥା,ଦେଖିବା କ’ଣ ହେଉଛି’

 

Leave a Reply