କେବେ ଖୋଲିବ ସ୍କୁଲ୍‌ ? ଅଗଷ୍ଟ ନା ସେପ୍ଟେମ୍ବର ନା ଅକ୍ଟୋବର…!

1 min read
when School Will Reopen ? August, September or October , Govt Needs Feed Back

ନୂଆଦିଲ୍ଲୀ: ସାରା ଦେଶରେ ଗତ ଚାରିମାସ ଧରି ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ଦେଶର ଶିକ୍ଷା ବ୍ୟବସ୍ଥାରେ କରୋନା ଭୂତାଣୁର ଗଭୀର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ନଖୋଲିବା ପାଇଁ ବିଭିନ୍ନ ସ୍ଥାନରେ ପିତାମାତାମାନେ ଦାବି କରିଛନ୍ତି । ଅନ୍ୟପଟେ ସାମାଜିକ ଦୂରତାର ସମସ୍ତ ମାନଦଣ୍ଡ ଅନୁସରଣ କରି ବିଦ୍ୟାଳୟଗୁଡିକ ପୁନଃ ଖୋଲିବା ଯୋଜନା ଉପରେ ରାଜ୍ୟ ସରକାରମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଏହି ମଧ୍ୟରେ ବିଦ୍ୟାଳୟର ପୁନଃ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି ।

୨୦ ଜୁଲାଇ ସୁଦ୍ଧା ଉତ୍ତର ଦିଅ

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅଭିଭାବକମାନଙ୍କଠାରୁ ମତାମତ ଗ୍ରହଣ କରିବାକୁ କୁହାଯାଇଛି । ସେମାନେ ସ୍କୁଲ ଖୋଲିବା ନେଇ କ’ଣ ମତଦେଉଛନ୍ତି ତାହା ଜାଣିବା ଜରୁରୀ ବୋଲି କୁହାଯାଇଛି । ଏମିତିକି ଅଭିଭାବକମାନେ ସ୍କୁଲ ଖୋଲାଯିବା ପରେ ସୁରକ୍ଷା ଦୃଷ୍ଟିରୁ କ’ଣ ଆଶା ରଖିଛନ୍ତି ବୋଲି ପଚାରି ବୁଝିବା ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ସରକାର ମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ସଚିବମାନଙ୍କୁ ଜୁଲାଇ ୨୦ ସୁଦ୍ଧା ଏନେଇ ଜବାବ ଦେବାକୁ କୁହାଯାଇଥିଲା । ଅଭିଭାବକମାନଙ୍କ ମତାମତ ନିଆଯିବା ପରେ ହିଁ, ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ଅଭିଭାବକମାନଙ୍କୁ ପ୍ରଶ୍ନ କରାଯାଇଛି ଯେ:-

୧.ସ୍କୁଲ କେବେଠାରୁ ଖୋଲାଯିବା ଆବଶ୍ୟକ ? ଅଗଷ୍ଟ, ସେପ୍ଟେମ୍ବର ନା ଅକ୍ଟୋବର, କେବେ ସ୍କୁଲ ଖୋଲୁ ବୋଲି ଅଭିଭାବକମାନେ ଚାହୁଁଛନ୍ତି ?

୨.ସ୍କୁଲ ଖୋଲିବା ପରେ ଅଭିଭାବକମାନେ କ’ଣ ଆଶା ରଖୁଛନ୍ତି ?

୩.ସ୍କୁଲ ଖୋଲିବା ନେଇ ଅନ୍ୟ କିଛି ମତାମତ କିମ୍ବା ପରାମର୍ଶ ଦେବାକୁ ଚାହୁଥିଲେ ମଧ୍ୟ ଅଭିଭାବକମାନେ ଦେଇପାରିବେ ।

Leave a Reply