ବିଟକଏନ କ’ଣ? ଏହା କିଭଳି କାମ କରେ?

ନୂଆଦିଲ୍ଲୀ:  ୨୦୦୯ରେ ଲଞ୍ଚ୍ ହୋଇଥିବା ଭର୍ଚୁଆଲ କରେନ୍ସି ବିଟକଏନ ଗତ କିଛି ବର୍ଷ ମଧ୍ୟରେ ଖୁବ ଚର୍ଚ୍ଚାରେ ରହିଆସିଛି । ଗତବର୍ଷ ଏହାର ମୂଲ୍ୟ ଚାରିଶହ ପ୍ରତିଶତରୁ ଅଧିକ ବଢି ଯାଇଥିଲା । କିଛି ବର୍ଷ ପୂର୍ବରୁ ଏହି ବିଟକଏନକୁ କିଣିଥିବା ବ୍ୟକ୍ତି ନିହାତି ଭାବରେ ଖୁବ ଲାଭବାନ୍ ହୋଇଛନ୍ତି । ତେବେ କ’ଣ ଏହି ବିଟକଏନ ଏବଂ ଏହା କିଭଳି କାମ କରେ?

ଆମେରିକା ୨୦୦୮ ମସିହାରେ ଦେଖିଥିଲା ଆର୍ଥିକ ମାନ୍ଦାବାସ୍ଥା । ରିୟଲ ଇଷ୍ଟେଟ୍ ମାର୍କେଟ୍ ସେହି ବର୍ଷ ଆମେରିକାରେ ଭୁଷୁଡି ପଡିଥିଲା । ଫଳରେ ଅନେକ ଆମେରିକୀୟ ବ୍ୟାଙ୍କ୍ ଦେବାଳିଆ ହୋଇଯାଇଥିଲେ । ଆମେରିକା ସରକାର ବ୍ୟାଙ୍କଗୁଡିକଙ୍କ ସ୍ଥିତି ସୁଧାରିବା ପାଇଁ ବେଲ ଆଉଟ୍ ପ୍ୟାକେଜ୍ ଦେଇଥିଲେ । କମ୍ପାନୀ ଓ ବ୍ୟାଙ୍କ ଏହାଦ୍ୱାରା ଆର୍ଥିକ ମାନ୍ଦାବସ୍ଥାରୁ ଉବୁରି ଯାଇଥିଲେ କିନ୍ତୁ ମୁଦ୍ରାସ୍ଫିତିର କୁପ୍ରଭାବର ଶିକାର ହୋଇଥିଲେ ସାଧାରଣ ଜନତା । ସାଧାରଣତଃ ସରକାର ହିଁ ଅର୍ଥର ମୁଲ୍ୟ ନିର୍ଦ୍ଧାରଣ କରିଥାନ୍ତି । କିନ୍ତୁ ସରକାରଙ୍କ ବେଲଆଉଟ୍ ପ୍ୟାକେଜ୍ କାରଣରୁ ଲୋକଙ୍କ ପାଖରେ ଥିବା ଅର୍ଥର ମୁଲ୍ୟ ହ୍ରାସ ପାଇଥିଲା । ଏହିଥିରୁ ହିଁ ଜନ୍ମ ନେଇଥିଲା ବିଟ କଏନ୍ କନସେପଟ ।
ଯାହାକୁ ଉଦ୍ଭାବନ କରିଥିଲେ ଜଣେ ଅଜଣା ବ୍ୟକ୍ତି । ଯାହାଙ୍କ ଛଦ୍ମନାମ ସତୋଷୀ ନକମୋଟୋ । କିନ୍ତୁ ଏହି ଟେକ୍ନୋଲୋଜିକୁ ବାହାର କରିଥିବା ଉକ୍ତ ବ୍ୟକ୍ତିଙ୍କ ବାସ୍ତବ ନାମ ଏବେ ମଧ୍ୟ ରହସ୍ୟ ହୋଇ ରହିଛି ।

ଏହା ଏଭଳି ଏକ ଡିଜିଟାଲ କରେନ୍ସି ଯାହା ନା ଦେଖାଯାଏ, ନା ଏହାକୁ କେହି ଛୁଇଁ ପାରିବେ । ଯଦିଓ ଏହା କୌଣସି ଭୌତିକ ପଦାର୍ଥରେ ତିଆରି ହୋଇନାହିଁ ତଥାପି ଏହାର ମୂଲ୍ୟ ଯଥେଷ୍ଟ ଅଧିକ ।

ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ବର୍ତ୍ତମାନ ୨୬ ଲକ୍ଷରୁ ଅଧିକ । ତେବେ କିଭଳି କାମ କରେ ଏହି ବିଟକଏନ?

ଟ୍ରାଡିସନାଲ ଅନଲାଇନ ପେମେଣ୍ଟ ମେକାନିଜମ ଅପେକ୍ଷା ବିଟକଏନ ଟ୍ରାଞ୍ଜାକ୍ସନ ପାଇଁ କମ ଶୁଳ୍କ ନେଇଥାଏ । ବିଟକଏନ ଦୁନିଆର ପ୍ରଥମ ଡିସେଣ୍ଟ୍ରାଲାଇଜଡ ଡିଜିଟାଲ କରେନ୍ସି ବା ଏହାର ମୂଲ୍ୟ କୌଣସି ସରକାର ନିର୍ଧାରଣ କରିନଥାନ୍ତି । ଯେମିତି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କେତେ ରହିବ ତାହା ରିଜର୍ଭବ୍ୟାଙ୍କ ଉପରେ ନିର୍ଭର କରିଥାଏ । ଏହି ବିଟକଏନ କୌଣସି ଭୌତିକ ପଦାର୍ଥ ନୁହେଁ ବା ସାଧାରଣ ଟଙ୍କାଭଳି ନୁହେଁ । ଏହା କେବଳ ଡିଜିଟାଲ ଦୁନିଆ ପାଇଁ ତିଆରି ହୋଇଛି । ଏହାକୁ ବିଶ୍ୱର କୌଣସି ସ୍ଥାନରେ କେବେ ମଧ୍ୟ ବ୍ୟବହାର କରିପାରିବେ । ଏହାଦ୍ୱାରା ପରସ୍ପର ମଧ୍ୟରେ ଟ୍ରାଞ୍ଜାକ୍ସନ ହୋଇପାରିବ । କିନ୍ତୁ ଏଥିପାଇଁ କୌଣସି ତୃତୀୟ ବ୍ୟକ୍ତିର ସାହାଯ୍ୟ ନେବାକୁ ପଡ଼ିବ ନାହିଁ ।

 

ଆପଣ ଯଦି ଟଙ୍କା ପଠାଇବାପାଇଁ ଚାହୁଁଛନ୍ତି ତେବେ ସିଧାସଳଖ ଅନ୍ୟଜଣେ ବ୍ୟକ୍ତିଙ୍କ ବିଟକଏନ ଓ୍ୱାଲେଟକୁ ଟଙ୍କା ପଠାଇ ପାରିବେ । ଦୁନିଆର ଲକ୍ଷ ଲକ୍ଷ ଲୋକ ସାଧାରଣ କରେନ୍ସି ଅପେକ୍ଷା ଏହି ବିଟକଏନକୁ ବ୍ୟବହାର କରୁଛନ୍ତି । ଗୋଟିଏ ପଟେ ସାଧାରଣ ଟଙ୍କା ନେଣଦେଣ ପାଇଁ ବ୍ୟାଙ୍କ ର ଆବଶ୍ୟକତା ଥିବାବେଳେ ବିଟକଏନ ଉପରେ କୌଣସି ଏଜେନ୍ସି ବା ସରକାରଙ୍କର ନିୟନ୍ତ୍ରଣ ନଥାଏ । ଏହି ନେଣଦେଣ କେବଳ ଦୁଇଲୋକଙ୍କ ମଧ୍ୟରେ ସିଧାସଳଖ ହୋଇଥାଏ । ଏଥିପାଇଁ ଏକ ସୁରକ୍ଷିତ ଉପାୟ ରହିଛି । ଯାହା ସମ୍ପୂର୍ଣ୍ଣ ଭାବରେ ଗୁପ୍ତ । ଗୋଟିଏ ପଟେ ଅନେକ ସୁବିଧା ଥିବାବେଳେ ଅନ୍ୟପଟେ ସମସ୍ୟା ମଧ୍ୟ ରହିଛି । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ଯଦି ଏହାକୁ ନେଇ କୌଣସି ସମସ୍ୟା ଦେଖାଦିଏ ତେବେ ଅନ୍ୟ ବ୍ୟକ୍ତିକୁ ଚିହ୍ନଟ କରିବା ସହଜ ନୁହେଁ । ଏଥିପାଇଁ ଆପଣ କୌଣସି ସୁରକ୍ଷା ଏଜେନ୍ସି, ବ୍ୟାଙ୍କ, ନ୍ୟାୟାଳୟ ବା ସରକାରଙ୍କ ନିକଟକୁ ଯାଇପାରିବେ ନାହିଁ । ଅର୍ଥାତ୍ ଖୁବ ସଚେତନତାର ସହିତ ଆପଣଙ୍କୁ ଟ୍ରାଞ୍ଜାକ୍ସନ କରିବାକୁ ପଡ଼ିବ । କାରଣ ବିଟକଏନ ଉପରେ ସରକାରଙ୍କର ନିୟନ୍ତ୍ରଣ ନଥିବାରୁ ଏହି କରେନ୍ସିର ମୂଲ୍ୟ ବଢିଥାଏ ଏବଂ କମିଥାଏ । ଲୋକ ଏହାକୁ ଖରାପ କାମ ଏବଂ ପ୍ରତିବନ୍ଧିତ ଜିନିଷ କିଣିବା ପାଇଁ ଏହି ବିଟକଏନକୁ ବ୍ୟବହାର କରିଥାନ୍ତି ।
ସରକାରଙ୍କ ତରଫରୁ ଏହାକୁ ଅନୁମତି ମିଳିବାକୁ ନେଇ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବରେ ଅନୁମତି ମିଳିନାହିଁ ।

 

ପ୍ରାରମ୍ଭରେ ବିଟକଏନର ମୂଲ୍ୟ ଥିଲା ୬ ଟଙ୍କା ଥିଲା । କିନ୍ତୁ ପ୍ରଚଳନ ହେବାପରେ ଧୀରେଧୀରେ ଲୋକ ଏହାକୁ କିଣିବାକୁ ଲାଗିଲେ ଏବଂ ଏହାର ମୂଲ୍ୟ ଯଥେଷ୍ଟ ମାତ୍ରାରେ ବଢିବାକୁ ଲାଗିଲା ।ଏକ ରିପୋର୍ଟ କହୁଛି ୨୦୧୫ରେ ୟାର୍କଶାୟରର କ୍ରିସ୍ ସେଡଗୋବିକ ନାମକ ଜଣେ ବ୍ୟକ୍ତି କ୍ରିପ୍ଟୋକରେନ୍ସି କିଣିଥିଲେ । ସେହି ସମୟରେ ଏହାର ମୂଲ୍ୟ ଥିଲା ୧୫୦ ପାଉଣ୍ଡ ବା ଭାରତୀୟ ମୂଦ୍ରାରେ ୧୫ ହଜାର ଟଙ୍କା । କ୍ରିସ୍ ଦୁଇ ହଜାର ପାଉଣ୍ଡ ବା ପ୍ରାୟ ଦୁଇ ଲକ୍ଷ ଟଙ୍କାର ବିଟକଏନ କିଣିଥିଲେ । ଯାହା ଏବେ ୭୫ ହଜାର ପାଉଣ୍ଡରେ ପରିବର୍ତ୍ତିତ । ଯାହାର ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ।

ବିଟ କଏନର ଆଉ ଗୋଟିଏ ଖରାପ ଦିଗ ହେଉଛି ଏହାକୁ କୌଣସି ଅପରାଧିକ କାର୍ଯ୍ୟ ପାଇଁ ଯେମିତି ଟେରର ଫଣ୍ଡିଂ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ । ଯେହେତୁ ଏହାକୁ ଟ୍ରେସ କରିବା ସହଜ ନୁହେଁ ତେଣୁ ଅନେକ ସମୟରେ ଏହାକୁ ଅପରାଧିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ । ନିକଟରେ ତାମିଲନାଡୁରେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ଅପରାଧୀ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିବା ପରେ ପରିବାର ଲୋକଙ୍କୁ ବିଟ କଏନ୍ ମାଧ୍ୟମରେ ପେମେଣ୍ଟ୍ କରିବାକୁ ବାଧ୍ୟ କରିଥିଲେ ।

ତେଣୁ ଯଦି ଆପଣ ବିଟ କଏନରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଭଲ କରି ଚିନ୍ତା କରି ଟଙ୍କା ଲଗାନ୍ତୁ । କାରଣ ଭାରତରେ ସୁପ୍ରିମକୋର୍ଟ ଏହାକୁ ବ୍ୟାନ୍ କରି ନାହାନ୍ତି ସତ କିନ୍ତୁ ରିଜର୍ଭ ବ୍ୟାଙ୍କ ଏହାକୁ ସୁରକ୍ଷିତ ବୋଲି ବି କହିନାହିଁ । ବିଲ ଗେଟସଙ୍କ ଭଳି ଟେକ୍ ଜିଆଣ୍ଟ୍ ଏହା ସପକ୍ଷରେ ଥିବା ବେଳେ ୱାରେନ୍ ବଫେଟଙ୍କ ଭଳି ସଫଳ କୋଟିପତି ନିବେଶକଙ୍କ ବିଟ କଏନକୁ ଏକ ଛଳନା ବୋଲି କୁହନ୍ତି ।

Leave a Reply