ଫାଙ୍କା ଫାଙ୍କା ଡାକ୍ତରଖାନା ! ଡାକ୍ତର ଆସୁନାହାନ୍ତି କି ଔଷଧ ମିଳୁନି, କମ୍ପାଉଣ୍ଡର କରୁଛନ୍ତି ଚିକିତ୍ସା

Dhenkanal Doctor Compounder

ଢ଼େଙ୍କାନାଳ: ଉପକୂଳରେ ଦେଖିବାକୁ ମିଳିଛି ରୋଗୀସେବାର ବିକଳ ଚିତ୍ର । ଡାକ୍ତରଖାନାକୁ ଆସୁନାହାଁନ୍ତି ଡାକ୍ତର । କମ୍ପାଉଣ୍ଡରଙ୍କ ହାତରେ ରୋଗୀଙ୍କ ଭାଗ୍ୟ । ହନ୍ତସନ୍ତ ହେଉଛନ୍ତି ରୋଗୀ । ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳି ମେଡିକାଲରୁ ଆସିଛି ଏଭଳି ଗୁରୁତର ଅଭିଯୋଗ । ଚିକିତ୍ସା ପାଇଁ ହସ୍ପିଟାଲକୁ ରୋଗୀ ଆସୁଥିବା ବେଳେ ସେବା ନପାଇ ଫେରିଯାଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ଏଠି ମେଡିକାଲ ଖୋଲାଯାଇଛି । ହେଲେ ନା ଅଛନ୍ତି ଡାକ୍ତର, ନା ଅଛନ୍ତି ଔଷଧ ବିତରଣକାରୀ । ଡାକ୍ତରଙ୍କ ଚୌକି ଫାଙ୍କା । ପଞ୍ଜୀକରଣ କାଉଣ୍ଟର ଫାଙ୍କା । ଔଷଧ ବିତରଣ କକ୍ଷ ବି ଫାଙ୍କା । ରୋଗୀଙ୍କ ବେଡ୍ ଫାଙ୍କା । ଏଭଳି ଫାଙ୍କା ଫାଙ୍କାରେ ଚାଲିଛି ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳି ମେଡିକାଲ । ଏଠାକୁ ସବୁବେଳେ ଡାକ୍ତର ବାବୁ ଆସୁନଥିବା ବେଳେ କମ୍ପାଉଣ୍ଡର ସେବା ଯୋଗାଉଥିବା କହୁଛନ୍ତି ରୋଗୀ ।

ମାସରେ ଅଧିକାଂଶ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । ପାଖରେ ୮ଟି କଳକାରଖାନା ଚାଲୁଥିବା ବେଳେ ଆଖପାଖର ୧୦ଟି ପଞ୍ଚାୟତ ମଧ୍ୟ ଏହି ମେଡିକାଲ ଉପରେ ନିର୍ଭର କରନ୍ତି । ହେଲେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀମାନେ, ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ ତଦନ୍ତ କରବେ ବୋଲି କହିଛନ୍ତି ।

Leave a Reply