ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି ଅମ୍ଫାନ୍‌, ସ୍ଥିତି ସୁଧାରିବା ପାଇଁ ସେନାର ସହଯୋଗ ଲୋଡ଼ିଲା ମମତା ସରକାର

1 min read

ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ୍‌ ତାଣ୍ଡବ ରଚିଛି । ଜନଜୀବନ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି । ସ୍ଥିତିକୁ ସୁଧାରିବା ପଶ୍ଚିମ ବଙ୍ଗ ସରକାରଙ୍କ ପାଇଁ କାଠିକର ପାଠ । ତେଣୁ ମମତା ସରକାର ସ୍ଥିତିକୁ ତୁରନ୍ତ ସୁଧାରିବା ପାଇଁ ସେନାର ସାହାଯ୍ୟ ଲୋଡ଼ିଛନ୍ତି । ରାଜ୍ୟ ସରକାର ଦେଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ସେନାକୁ ରିଲିଫ୍‌ କାର୍ଯ୍ୟରେ ସାହାଯ୍ୟ କରିବାକୁ କୁହାଯାଇଛି ।

  ବିବୃତ୍ତି ଅନୁଯାୟୀ, NDRF ଏବଂ SDRF ର ଟିମ୍ ପୂର୍ବରୁ ଏଠାରେ ନିୟୋଜିତ ହୋଇସାରିଛନ୍ତି । ଏହି ରିଲିଫ୍‌ କାର୍ଯ୍ୟରେ ସହଯୋଗ କରିବା ପାଇଁ ରେଳ ବିଭାଗ ଏବଂ ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କୁ ମମତା ସରକାର ସହଯୋଗ କରିବାକୁ ନିବେଦନ କରିଛନ୍ତି । ମମତା ସରକାର ଆହୁରି ମଧ୍ୟ କହିଛନ୍ତି ଯେ ପାନୀୟ ଜଳ ଏବଂ ଡ୍ରେନେଜ ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର କରାଯାଉଛି ।

ବିଦ୍ୟୁତ୍ ଯୋଗାଣ ପାଇଁ ଆବଶ୍ୟକ ସ୍ଥଳେ ଜେନେରେଟର ସ୍ଥାପନ କରାଯାଉଛି । ବିଭିନ୍ନ ବିଭାଗ ଏବଂ ସଂସ୍ଥାର ଶହେରୁ ଅଧିକ ଟିମ୍ ଗଛ କାଟିବା ଏବଂ ରାସ୍ତା କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ରାଜ୍ୟର ଶକ୍ତି ବିଭାଗକୁ ସର୍ବାଧିକ ମାନବ ସମ୍ବଳ ବ୍ୟବହାର କରିବାକୁ କୁହାଯାଇଛି, ଯାହା ଦ୍ୱାରା ସ୍ଥିତି ଶୀଘ୍ର ସୁଧୁରି ପାରିବ ।

ବଙ୍ଗଳା ସରକାରଙ୍କ କହିବାନୁଯାୟୀ, ଲକ୍‌ଡାଉନ୍‌ ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟ ଟିକେ କଷ୍ଟସାଧ୍ୟ ହେଉଛି । ତେବେ ପୋଲିସକୁ ଏନେଇ ସଜାଗ ରଖାଯାଇଛି ।

ବାତ୍ୟା ଅମ୍ଫାନର ପଶ୍ଚିମବଙ୍ଗରେ ତାଣ୍ଡବ ରଚି ଚାଲିଯାଇଛି । ଏଥିରେ ଏବେ ସୁଦ୍ଧା ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସମ୍ପତ୍ତି କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଗଣନା କରାଯାଇନାହିଁ | କୋଲକାତା ଠାରୁ ଉତ୍ତର ଏବଂ ଦକ୍ଷିଣ ଚୌବିଶ ପରଗାନା ପର୍ଯ୍ୟନ୍ତ ଅମ୍ଫାନ୍‌ର ପ୍ରଭାବ ରହିଛି ।

Leave a Reply