Unlock-4ରେ ଖୋଲିବ କି ସ୍କୁଲ, କଲେଜ ? ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରଖିଲା ଜବାବ

1 min read

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ପହିଲାରୁ ଦେଶରେ ଅନଲକ୍ ୪ ଆରମ୍ଭ ହେବାକୁ ଯାଉଛି । ଏମିତିରେ ଲୋକଙ୍କ ନଜର ରହିଛି କେବେ ଖୋଲିବ ସ୍କୁଲ ଓ କଲେଜ ? ସରକାରଙ୍କ ଏହି ନିଷ୍ପତ୍ତି ଉପରେ ନଜର ରଖିଛି ସାରା ଦେଶ । ମାର୍ଚ୍ଚ ୨୪ରୁ ଦେଶରେ ଲକଡାଉନ୍ ଲାଗୁ ହେବା ସହ ସବୁକିଛି ବନ୍ଦ ହୋଇ ଯାଇଥିଲା । ସେବେଠୁ ୫ ମାସ ହେଲା ଦେଶରେ ସ୍କୁଲ ଓ କଲେଜ ସବୁ ବନ୍ଦ ରହିଛି । ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ସହ ଦୋକାନ ବଜାର, ଗାଡ଼ି ଚଳାଚଳ ସହ ଅନ୍ୟ କାର୍ଯ୍ୟକୁ ସରକାର ଅନୁମତି ଦେଇଛନ୍ତି । କିନ୍ତୁ, ବନ୍ଦ ରହିଛି ଶିକ୍ଷାନୁଷ୍ଠାନ ।

ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ଅନଲକ୍-୪ ପାଇଁ ଗାଇଡଲାଇନ୍ ଜାରି କରିଛି । ତେବେ, ଏଥିରେ ସ୍କୁଲ ଓ କଲେଜ ଖୋଲିବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜଶ ଭୂଷଣ କହିଛନ୍ତି- ଅନଲକକୁ ନେଇ ଗୃହ ମନ୍ତ୍ରାଳୟ ତରଫରୁ ଜାରି ଗାଇଡଲାଇନରେ ସ୍କୁଲ ଓ କଲେଜ ଖୋଲିବା ନେଇ କୋଣସି ନିର୍ଦ୍ଦେଶ ନାହିଁ ।

ସେ ଆହୁରି କହିଛନ୍ତି- ଏବେ ଦେଶରେ ଯାହା ଗତିବିଧି ଚାଲୁଛି । ସେଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସଓପି ଜାରି କରେ । ସ୍କୁଲ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ହେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏସଓପି ଜାରି କରିବ ।

ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସମିଟ୍ କରିଥିଲା । ଦେଶରେ ଏବେ ଯାଏଁ ୩ କୋଟି ୬୦ ଲକ୍ଷରୁ ଅଧିକ କରୋନା ଟେଷ୍ଟିଂ କରାଯାଇଛି । ସକ୍ରିୟ ସଂକ୍ରମିତ ମାମଲା ଠାରୁ ତିନିଗୁଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଦେଶରେ କରୋନା ଟେଷ୍ଟିଂ ଲ୍ୟାବ ସଂଖ୍ୟା ବଢ଼ିଛି । ଯେଉଁଥିପାଇଁ ଟେଷ୍ଟିଂ ବଢ଼ିଥିବା ସେ କହିଛନ୍ତି ।

ଦେଶରେ ମୋଟ ସଂକ୍ରମଣ ମାମଲାର ୨୨.୨ ପ୍ରତିଶତ କେସ୍ ସକ୍ରିୟ ରହିଛି । ଆରୋଗ୍ୟ ହାର ୭୫ ପ୍ରତିଶତରୁ ଅଧିକ ରହିଥିବା ବେଳେ କରୋନା ମୃତ୍ୟୁ ହାର ଦେଶରେ ୧.୫୮ ପ୍ରତିଶତ ରହିଛି । ଯାହାକି ଦୁନିଆରେ ସର୍ବନିମ୍ନ । ବିଗତ ୨୪ ଘଣ୍ଟାରେ ସଂକ୍ରମଣ ମାମଲା ୬ ହଜାର ୪୦୦ ତଳକୁ ଖସିଛି । ଏମିତି ପ୍ରଥମଥର ହୋଇଛି ।

Leave a Reply