ମଦ ପିଇ ଉତ୍ପାତ ହେଲେ ୩ ନାଲ୍‌କୋ ଅଫିସର, ହୋଟେଲରେ ଲୋକଙ୍କୁ ଗୋଡ଼ାଇ ପିଟିଲେ

ଅନୁଗୁଳ: ମଦ ପିଇ ଉତ୍ପାତ ହେଲେ ନାଲ୍‌କୋ ଅଫିସର । ଅନୁଗୁଳ ଜିଲ୍ଲା ନାଲକୋନଗର ଅଞ୍ଚଳରେ ନିଶାଶକ୍ତ ତିନି ନାଲକୋ ଅଫିସରଙ୍କ ଉନ୍ମତ୍ତକାଣ୍ଡ । ହୋଟେଲରେ ମଦ ପିଇ ମାତାଲ ହେଲେ । ଆଉ ସାମାନ୍ୟ କଥାରେ ଅନ୍ୟ ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ।

ସୂଚନାନୁସାରେ, ନାଲକୋ ନଗର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହୋଟେଲରେ କାଣ୍ଡସର ଗ୍ରାମର ଦୁଇ ସାଙ୍ଗ ଖାଇବା ପାଇଁ ବସିଥିଲେ । ଏହି ସମୟରେ ସେଠାରେ ବସିଥିବା ନାଲକୋର ତିନି ଅଫିସର ମାତାଲ ଅବସ୍ଥାରେ ସେହି ଦୁଇ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।

Nalco Officer

ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ୩ ନାଲକୋ ଅଫିସର ସଂପୃକ୍ତ ଦୁଇ ସାଙ୍ଗଙ୍କୁ ଆକ୍ରମଣ କରିଥିଲେ । ଜଣେ ପ୍ରାଣ ବିକଳରେ ପଳାଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ହୋଟେଲରେ ଗୋଡାଇ ଗୋଡ଼ାଇ ପିଟିଥିଲେ ଏହି ନାଲୋକୋ ଅଫିସର୍‌ମାନେ । ଏପରିକି ପାଖରେ ପଡିଥିବା ଏକ ଲୁହା ଛଡ଼ ଓ ପଥରରେ ମଧ୍ୟ ଆକ୍ରମଣ କରିଥିଲେ ତିନି ମାତାଲ ଅଫିସର । ଉକ୍ତ ଆକ୍ରମଣ ଘଟଣା ହୋଟେଲର ସିସିଟିଭିରେ ସମ୍ପୂର୍ଣ୍ଣ କଏଦ ହୋଇଛି ।

ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ନାଲ୍‌କୋ ଅଫିସରଙ୍କ କବଳରୁ ଉଭୟ ଖସି ଆସି ଥାନାର ଦ୍ଵାରସ୍ଥ ହୋଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ସିସିଟିଭି ଫୁଟେଜ୍‌ରେ ସମ୍ପୂର୍ଣ୍ଣ ଘଟଣା ରେକର୍ଡ ଥିଲେ ମଧ୍ୟ ପୋଲିସ ଏଯାଏଁ କାହାରିକୁ ଗିରଫ କରି ନାହିଁ ।

Leave a Reply