ଅନାଥ ଶିଶୁଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ: ବିଭିନ୍ନ ବିଭାଗର ସହଯୋଗରେ କରାଯିବ ଥଇଥାନ୍

ଭୁବନେଶ୍ୱର: ଅନାଥ ଶିଶୁଙ୍କ ଦୁଃଖ ବୁଝିବେ ରାଜ୍ୟ ସରକାର । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶେଷ ହୋଇଛି ଅନାଥ ଶିଶୁ ଚିହ୍ନଟ ପ୍ରକ୍ରିୟା । ବିଭିନ୍ନ ବିଭାଗର ସହଯୋଗରେ ଅନାଥ ଶିଶୁଙ୍କୁ ଥଇଥାନ କରାଯିବ । ଏଥିପାଇଁ ଖୁବ୍‌ଶୀଘ୍ର ଆରମ୍ଭ ହେବ ସ୍ବତନ୍ତ୍ର ଯୋଜନା । ଅନାଥ ଓ ଏକକ ଅଭିଭାବକ ବା ବାପାମାଆଙ୍କ ମଧ୍ୟରୁ ଜଣେ ଥିବା ଶିଶୁଙ୍କୁ ଥଇଥାନା କରାଯିବା ସହ ରୋଜଗାରକ୍ଷମ କରାଯିବ ।

ରାସ୍ତାରେ ଏକାକୀ ବୁଲୁଛି କୁନିଝିଅଟିଏ । ସ୍କୁଲ ଯିବା ବଦଳରେ ଟ୍ରାଫିକ୍‌ ଛକରେ ଛିଡ଼ାହୋଇ ଭିକ ମାଗୁଛି । ବାପାମା’ଙ୍କ ଠିକଣା ଜାଣିନାହିଁ । କେବେ ଫୁଟ୍‌ପାଥ୍‌ ତ କେବେ ମନ୍ଦିର ବେଢ଼ାରେ ଶୋଇଯାଏ । ଏ କୁନିଶିଶୁଟିର ଅବସ୍ଥା ମଧ୍ୟ ଏକା । ବାପା ଛେଉଣ୍ଡ ଶିଶୁଟି ମା’ ସହ ରହୁଛି । ମାଗି ଯାଚି ଯାହା ମିଳୁଛି ସେଥିରେ ପେଟ ପୂରାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଣିକି ବଦଳିଯିବ ଅନାଥ ଶିଶୁଙ୍କ ଜୀବନ । ରାଜ୍ୟରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଚିହ୍ନଟ କରିଛି । ଶିକ୍ଷା, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ ଭଳି ବିଭିନ୍ନ ବିଭାଗ ସହଯୋଗରେ ଚିହ୍ନଟ ଅନାଥ ଶିଶୁଙ୍କୁ ଥଇଥାନ କରାଯିବ ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ୪୯୫ ଅନାଥ ଶିଶୁ ଥିବାବେଳେ ୭ ହଜାର୩୯ ଜଣ ଅଛନ୍ତି ଏକକ ଅଭିଭାବକ ଥିବା ଶିଶୁ । ୧୧୬ ଅନାଥ ଶିଶୁ ଅଧାରୁ ପାଠ ଛାଡ଼ିଛନ୍ତି । ୭୭୯ ଏକକ ଅଭିଭାବକ ଥିବା ଶିଶୁ ସ୍କୁଲ ଯାଉନାହାନ୍ତି । ୧୫ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ୮୦ ଜଣ ଅନାଥ ଝିଅଙ୍କୁ ଚିହ୍ନଟ କରାଯାଇଛି । ୧୫ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ୧ ହଜାର ୪୮ ଏକକ ଅଭିଭାବକ ଥିବା ଝିଅବି ଚିହ୍ନଟ ହୋଇଛନ୍ତି । ଅନେକ ସମୟରେ ଏହି ଝିଅମାନଙ୍କ ଖରାପ ଲୋକଙ୍କ ନଜର ଥାଏ । କେବେ ଝିଅ ଚାଲାଣ ତ କେବେ ବାଲ୍ୟବିବାହ କରିଦିଆଯାଏ । ଅନେକ ସମୟରେ ଏମାନେ ଶାରୀରିକ ନିର୍ଯାତନାର ଶିକାର ହୋଇଥାନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଏସବୁକୁ ବହୁ ରୋକିବ ବୋଲି ମତ ପ୍ରକାଶ ପାଇଛି । ଖୁବ୍‌ଶୀଘ୍ର ନୂଆ ଯୋଜନା ମାଧ୍ୟରେ ଚିହ୍ନଟ ଅନାଥ ଶିଶୁଙ୍କୁ ଥଇଥାନ କରାଯିବା ସହ ସେମାନଙ୍କୁ ରୋଜଗାରକ୍ଷମ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ କହିଛି ।

Leave a Reply