ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗଞ୍ଜାମ ପାଇଁ ୨୫ କୋଟି ଟଙ୍କା ମଞ୍ଜୁର

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏଥିସହ କୋଭିଡ୍ ପରିଚାଳନା ରଣନୀତିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ । ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ୍ ରୋଗୀମାନେ ଉପକୃତ ହେବେ ଏବଂ କୋଭିଡ୍ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ସମ୍‌ କୋଭିଡ୍ ହସ୍ପିଟାଲ ଓ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ମିଳିଛି । ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ରହିଛି ।

ବ୍ରହ୍ମପୁରର ଅମିତ ହସ୍ପିଟାଲରେ ୧୬ଟି ଆଇ.ସି.ୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହାକୁ କଟକର ଅଶ୍ୱିନୀ ହସ୍‌ପିଟାଲ ପରିଚାଳନା କରିବ । ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ  ଅଶ୍ୱିନୀ ହସ୍ପିଟାଲ ମଧ୍ୟରେ MoU ସ୍ୱାକ୍ଷରିତ ହୋଇଛି ।

ଗଞ୍ଜାମରେ କୋଭିଡ ମୁକାବିଲାକୁ ଆହୁରି ସୁଦୃଢ କରିବା ପାଇଁ ୨ ଜଣ ଆଇ.ଏ.ଏସ୍‌ ଅଫିସର, ୨୫ ଜଣ ଓ.ଏ.ଏସ୍‌ ଅଫିସର, ୧୦୫ ଜଣ ORS ଅଫିସର, ୩୦ ଜଣ MBBS ଡାକ୍ତର, ୧୦୦ ଜଣ ଆୟୁଷ ଡାକ୍ତର ଏବଂ ୨୭ ଜଣ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି । ଏହାସହିତ ୩ ଜଣ ଡି.ଏସ୍‌.ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର ଏବଂ ୧୦ ପ୍ଲାଟୁନ ପୋଲିସ ମଧ୍ୟ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଆମ୍ବୁଲାନ୍ସ ସେବାକୁ ଆହୁରି ଦକ୍ଷ ଓ ସୁଦୃଢ କରାଯାଇ ରୋଗୀ ମାନଙ୍କୁ ଯେପରି ଠିକ୍‌ ସମୟରେ ସେବା ଯୋଗାଇ ଦେଇପାରିବେ, ତାକୁ ସୁନିଶ୍ଚିତ କରାଯିବ । ଆବଶ୍ୟକତା ଅନୁଯାୟୀ ୧୦୦ଟି ଆମ୍ବୁଲାନ୍ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଫୋକ୍‌ସ କରାଯାଇ କାଉନସେଲିଂ ପାଇଁ ପ୍ରଫେସନାଲ୍‌ ମାନଙ୍କୁ ଦାୟିତ୍ୱ ଦିଆଯିବ ।

ସେହିପରି ସାରା ରାଜ୍ୟର କୋଭିଡ୍ ପରିଚାଳନାକୁ ଦୃଢ କରିବାପାଇଁ ମୁଖ୍ୟମନ୍ତ୍ରୀ କେତେକ ଘୋଷଣା କରିଛନ୍ତି । ସାରା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ, କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା କୋଭିଡ୍ କେୟାର କେନ୍ଦ୍ରରେ କାମ କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପାଇଁ ଦୈନିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବା ଦିନ ମାନଙ୍କରେ ଡାକ୍ତରମାନେ ଦୈନିକ ୧୦୦୦ ଟଙ୍କା, ପାରାମାଡିକାଲ କର୍ମଚାରୀ ମାନେ ଦୈନିକ ୫୦୦ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ଆଶାକର୍ମୀ ମାନେ ୨୦୨୦ ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସର୍ଭେ ଓ ସ୍ୱତନ୍ତ୍ର ସର୍ଭେ ପାଇଁ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ । ଘରକୁ ଘର  ବୁଲି ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ତଥା ସ୍ୱତନ୍ତ୍ର ସର୍ଭେ କରୁଥିବା ଅଙ୍ଗନୱାଡ଼ି କର୍ମୀମାନେ ଏହି ସର୍ଭେ ସମୟ ମଧ୍ୟରେ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।

ଗଞ୍ଜାମରେ କୋଭିଡ୍ ନିୟନ୍ତ୍ରଣ ପାଇଁ ସମୟୋଚିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ଆଗକୁ ମଧ୍ୟ ଏହିପରି ଭାବେ ଉତ୍ସର୍ଗୀକୃତ ସେବା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ ।

କଟକ ଓ ଭୁବନେଶ୍ୱରରୁ ୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ବଢ଼ୁଛି ସୁସ୍ଥତା ହାର

Leave a Reply