ଘୋଷଣାରେ ରହିଛି ପଦ୍ମ; ଜୀବନର ଶେଷ ସମୟରେ ମଧ୍ୟ ପୁରସ୍କାର ଆଶାରେ ଶରିଫ୍ ଚାଚା

ଅଯୋଧ୍ୟା: ଉତ୍ତର ପ୍ରଦେଶର ଫୈଜାବାଦର ୮୩ ବର୍ଷୀୟ ମହମ୍ମଦ ଶରୀଫ୍ । ଏବେ ସୁଦ୍ଧା ସେ ୨୫ ହଜାରରୁ ଅଧିକ ଅଚିହ୍ନା ଶବର ଅନ୍ତିମ ସଂସ୍କାର କରିସାରିଲେଣି । ଏକ ବର୍ଷ ପୂର୍ବରୁ ତାଙ୍କୁ କେହି ବି ଚିହ୍ନି ନଥିଲେ । ହେଲେ ଗତବର୍ଷ ପଦ୍ମ ପୁରସ୍କାରରେ ସମ୍ମାନିତ ହେବାପରେ ତାଙ୍କୁ ସାରା ଦେଶ ଚିହ୍ନିଲା। ଆଜି ସେ ଜୀବନ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ଦୁଇ ବଖରା ବିଷିଷ୍ଟ ଭଡ଼ା ଘରେ ଦିନ କାଟୁଥିବା ସରିଫ ଚାଚା ରୋଗାକ୍ରାନ୍ତ ହୋଇ ବିଛଣାରେ ପଡ଼ିଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କୁ ଗତ ଗଣତନ୍ତ୍ର ଦିବସରେ ଯେଉଁ ପଦ୍ମ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଥିଲା ତାହା ଏବେ ପର୍ଯ୍ୟନ୍ତ ତାଙ୍କୁ ମିଳି ନାହିଁ । ପଦ୍ମ ପୁରସ୍କାର ଘୋଷଣା ହେବାର ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି ହେଲେ ଏ ଯାଏଁ ଶରୀଫ୍ ଚାଚା କୌଣସି ପଦକ କିମ୍ବା ମାନପତ୍ର ପାଇଲେ ନାହିଁ। ତାଙ୍କ ପରିବାର କହିଛନ୍ତି ଯେ ସେ ପଦକର ଗୋଟିଏ ଝଲକ ଦେଖିବା ପାଇଁ ଚାହିଁ ବସିଛନ୍ତି, ହେଲେ ଏମିତି ନ ହେଉ ଯେ ଏହା ପୂର୍ବରୁ ସେ ଆଖି ବୁଜିଦିଅନ୍ତୁ।

ଶରୀଫ୍ ଚାଚାଙ୍କ ପରିବାରର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଯେ ତାଙ୍କ ଚିକିତ୍ସା କି ଔଷଧ କିଣିବାକୁ ବି ପରିବାର ଅକ୍ଷମ । ଯେଉଁ ବ୍ୟକ୍ତି ନିଜ କାନ୍ଧରେ ହଜାର ହଜାର ଶବକୁ କାନ୍ଧେଇ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ଆଜି ତାଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଶରୀଫ୍ ଚାଚାଙ୍କର କିଡନୀ ଓ ଲିଭର ଦୁଇଟି ଯାକ ଖରାପ ହୋଇଯାଇଛି।

ଚାଚାଙ୍କ ପୁଅ ମହମ୍ମଦ ସାଗିର କହିଛନ୍ତି, ‘ଗତ ବର୍ଷ ଜାନୁଆରୀ ୩୧ରେ ତାଙ୍କୁ ଗୃହମନ୍ତ୍ରାଳୟରୁ ଏକ ଚିଠି ମିଳିଥିଲା, ଯେଉଁଥିରେ ପଦ୍ମଶ୍ରୀ ବିଷୟରେ ସୂଚନା ଦିଆଯାଇଥିଲା, ମୁଁ ମୋର ପିତାଙ୍କୁ ଶୁଭେଚ୍ଛା ଜଣାଇଥିଲି। ପରେ ଦିଲ୍ଲୀରୁ ଫୋନ୍ ଆସିଥିଲା ଓ ରାଷ୍ଟ୍ରପତି ଭବନରୁ ପୁରସ୍କାର ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। ମୋ ବାପା ଜଣେ ସ୍ଥାନୀୟ ସାହୁକାରଙ୍କଠାରୁ ୨୫ଶହ ଟଙ୍କା ଋଣ ନେଇ ଟ୍ରେନ୍ ଟିକେଟ ବୁକ୍ କରିଥିଲେ। ଶେଷ ମୁହୂର୍ତ୍ତରେ ମହାମାରୀ ହେତୁ ଏହି କାର୍ଯ୍ୟକ୍ରମ ବାତିଲ ହେବା ନେଇ ଆମକୁ ଅବଗତ କରାଯାଇଥିଲା। ଏବେ ଆମେ ଟ୍ରେନ୍ ଟିକେଟ୍ ପାଇଁ ନେଇଥିବା ଟଙ୍କା ବି ଫେରସ୍ତ କରିପାରୁ ନାହୁଁ।’ ସାଗର ପେଶାରେ ଜଣେ ଡ୍ରାଇଭର ଏବଂ କୌଣସି ପ୍ରକାରେ ପରିବାର ସଦସ୍ୟଙ୍କ ପାଇଁ ଦୁଇବେଳାର ଖାଇବା ଯୋଗାଡ଼ କରିବା ବି ତାଙ୍କ ପକ୍ଷେ କଷ୍ଟକର।

ସୂଚନାଯୋଗ୍ୟ, ଏ ସମ୍ପର୍କରେ ଯେତେବେଳେ ଫୈଜାବାଦର ବିଜେପି ସାଂସଦ ଲଲ୍ଲୁ ସିଂହଂଙ୍କ ପ୍ରଶନ କରାଯାଇଥିଲା, ସେ କହିଥିଲେ ଯେ ତାଙ୍କ ଏ ନେଇ ସୂଚନା ନଥିଲା ଯେ ଶରୀଫଙ୍କୁ ଏ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ମିଳିନାହିଁ । ଏଥି ସହ ସେ ତାଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।

 

Leave a Reply