ରାଜ୍ୟରେ ଗ୍ରାହକ ହରାଉଛନ୍ତି ମୋବାଇଲ୍ କମ୍ପାନୀ, ୯ ଲକ୍ଷ ଲେଖାଏଁ ହରାଇଛନ୍ତି ଆଇଡିଆ ଓ ଏୟାରଟେଲ୍

1 min read

ଭୁବନେଶ୍ୱର: ଓଡ଼ିଶାରେ କିଛି ମୋବାଇଲ୍ କମ୍ପାନୀଙ୍କ ସେବାକୁ ମୁହଁ ମୋଡ଼ୁଛନ୍ତି ଗ୍ରାହକ। ଏହି ତାଲିକାରେ ବିଗତ ଦିନର ଏକ ନମ୍ବର କମ୍ପାନୀମାନେ ବି ସାମିଲ୍ ରହିଛନ୍ତି। ଟେଲିକମ୍ ଅଥରଟି ଅଫ୍ ଇଣ୍ଡିଆ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ୨୦୨୦ ବର୍ଷର ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାର ଗ୍ରାହକମାନେ ଏୟାରଟେଲ୍ ଓ ଭୋଡ଼ାଫୋନ୍-ଆଇଡିଆ ଭଳି ମୋବାଇଲ୍ କମ୍ପାନୀଙ୍କ ସେବାଠୁ ନିଜକୁ ଦୂରେଇବାକୁ ଚାହିଁଛନ୍ତି।

ଖାଲି ସେତିକି ନୁହେଁ ଗ୍ରାହାକଙ୍କ ଏହି ମନୋଭାବ ଯୋଗୁ ଆଇଡିଆ ଓ ଭୋଡ଼ାଫୋନ୍ ଭଳି କମ୍ପାନୀ ପ୍ରତ୍ୟେକ ୯ ଲକ୍ଷ ଲେଖାଏଁ ଗ୍ରାହକ ହରାଇଛନ୍ତି। ଅପରପକ୍ଷେ ଜିଓ ମୋବାଇଲ୍ ସେବା ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ଡିସେମ୍ବର ମାସରେ ଜିଓ ଓଡିଶାରେ ପାଖାପାଖି ୨ ଲକ୍ଷ ଗ୍ରାହକ ଯୋଡ଼ିଛି।

ଟ୍ରାଇ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ଏବେ ମୋବାଇଲ୍ ବ୍ୟବହାରକାରୀଙ୍କ ସଂଖ୍ୟା ହେଉଛି ୩ କୋଟି ୩୫ ଲକ୍ଷ। ଗତବର୍ଷ ୧ କୋଟି ୬୦ ଲକ୍ଷ ଗ୍ରାହକ ନୂଆକରି ମୋବାଇଲ୍ ସେବାରେ ସାମିଲ୍ ହୋଇଛନ୍ତି। ଏହାଦ୍ବାରା ରିଲାଏନ୍ସ ଜିଓ ପାଖରେ ସମ୍ପ୍ରତି ଓଡ଼ିଶାରେ ସର୍ବାଧିକ ୧.୩୭ କୋଟି ମୋବାଇଲ ଗ୍ରାହକ ରହିଥିବା ବେଳେ ଭାରତୀ ଏୟାରଟେଲରେ ୧.୦୮ କୋଟି ଗ୍ରାହକ, ବିଏସଏନଏଲ ପାଖରେ ୬୪.୧୪ ଲକ୍ଷ ଗ୍ରାହକ ଏବଂ ଭୋଡାଫୋନ ଆଇଡିଆ ପାଖରେ ୨୫.୩୬ ଲକ୍ଷ ଗ୍ରାହକ ରହିଛନ୍ତି ।

ଏଥିସହିତ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରାୟ ୪୧ ପ୍ରତିଶତ ଗ୍ରାହକ ବଜାର ଅଂଶ ଏବଂ ରାଜ୍ୟରେ ଏହି କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ମୋଟ ରାଜସ୍ୱ ବଜାର ଅଂଶ ଦଖଲ କରି ପାରିଛି । ଏଥିସହିତ ରିଲାଏନ୍ସ ଜିଓ ୨୦୨୦ ବର୍ଷରେ ଓଡ଼ିଶାରେ ୧୯ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଡ଼ି ପାରିଛି।

Leave a Reply