ଆଜି ସାରାଦେଶ ପାଳୁଛି ଜାତୀୟ ବାଳିକା ଦିବସ

1 min read

ଭୁବନେଶ୍ୱର: ଆଜି ସାରାଦେଶରେ ପାଳନ ହେଉଛି ଜାତୀୟ ବାଳିକା ଦିବସ । ଏହି ଦିବସରେ ଲିଙ୍ଗନୁପାତରେ ପାର୍ଥକ୍ୟକୁ ନେଇ ଆସିଛି ଆଶ୍ୱସ୍ତିକର ରିପୋର୍ଟ । ଦେଶରେ ଝିଅ-ପୁଅ ଲିଙ୍ଗନୁପାତ ପାର୍ଥକ୍ୟରେ ଯଥେଷ୍ଟ ଉନ୍ନତୀ ହୋଇଥିବା ସର୍ଭେରୁ ଜଣାପଡ଼ିଛି ।  ୨୦୧୪-୧୫ରେ ପ୍ରତି ଏକ ହଜାର ପୁଅରେ ଝିଅଙ୍କ ଅନୁପାତ ୯୧୮ ରହିଥିବା ବେଳେ ଏବେ ଏହି ଅନୁପାତରେ ୧୬ ପଏଣ୍ଟ ସୁଧାର ହୋଇଛି । ୨୦୧୯-୨୦ ସର୍ଭେ ରିପୋର୍ଟ ମୁତାବକ, ଏବେ ଦେଶରେ ପ୍ରତି ହଜାରେ ପୁଅରେ ୯୩୪ ଝିଅ ରହିଛନ୍ତି । ଏ ନେଇ ସୂଚନା ଦେଇଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ।

ଦେଶରେ ଲିଙ୍ଗଗତ ସମାନତା ପାଇଁ ୨୦୧୫ରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ଦେଶର ୬୪୦ ସମ୍ବେଦନଶୀଳ ଜିଲ୍ଲା ଉପରେ ଅଧିକ ଫୋକସ୍ ରଖାଯାଇଥିଲା । ସେଥିମଧ୍ୟରୁ ୪୨୨ଟିରେ ଆଖିଦୃଶିଆ ଉନ୍ନତି ଆସିଥିବା ଜଣାପଡ଼ିଛି ।  ୨୦୧୪-୧୫ ରେ ଝିଅ-ପୁଅଙ୍କ ମଧ୍ୟରେ ଲିଙ୍ଗଗତ ପାର୍ଥକ୍ୟ ୮୨ ରହିଥିବା ବେଳେ ଏବେ ଏହା ୬୬ରେ ପହଞ୍ଚିଛି ।

୨୦୧୫ ଜାନୁୟାରୀ ୨୨ରେ ହରୟାଣାର ପାନିପତ ଜିଲ୍ଲାରେ ବେଟି ପଢ଼ାଓ ବେଟି ବଚାଓ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ଆରମ୍ଭ ହେବା ପରେ ସେହି ଜିଲାରେ ଲିଙ୍ଗଗତ ଅନୁପାତରେ ଯଥେଷ୍ଟ ଉନ୍ନତି ଆସିଛି ବୋଲି କହିଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ । ହେଲ୍‌ଥ ମ୍ୟାନେଜମେଣ୍ଟ ଇନ୍‌ଫରମେଶନ ସିଷ୍ଟମ ପକ୍ଷରୁ ଜନ୍ମ ସମୟରେ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ମିଳିଛି ।

Leave a Reply