ମଧ୍ୟପ୍ରଦେଶ ବିଦ୍ୟୁତ୍ ବିଭାଗର ଅଜବ ଜବାବ: କଂଗ୍ରେସ ଆସିଲେ,ବିଲ୍ କମିବ !

ଆଗର ମାଲବା (ମଧ୍ୟପ୍ରଦେଶ) : ବିଜୁଳି ବିଲ୍ ଉପରେ ରିହାତି ପାଇବାର ଅଛି ତ’ ବିଜେପିକୁ ହଟାଇବାକୁ ପଡିବ ଓ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡିବ । ମଧ୍ୟପ୍ରଦେଶର ବିଦ୍ୟୁତୁ ବିଭାଗର ଆଧିକାରିକ ୱେବସାଇଟରୁ ଏଭଳି ଉତ୍ତର ଗ୍ରାହକଙ୍କୁ ମିଳୁଛି । ମଧ୍ୟପ୍ରଦେଶର ମାଲବାରେ ଯଦି କୌଣସି ଗ୍ରାହକ ଅଧିକ ବିଲ ଆସିବା କାରଣରୁ ଅନଲାଇନରେ ଅଭିଯୋଗ କରୁଛନ୍ତି ତେବେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏଭଳି ଯବାବ ମିଳୁଛି । ଆଗର ମାଲବାରେ ଆଗକୁ ଉପନିର୍ବାଚନ ହେବାକୁ ଥିବା ବେଳେ ସରକାରୀ ବିଭାଗର ଏପରି ଯବାବକୁ ନେଇ ଖୋଳତାଡ ଆରମ୍ଭ ହୋଇଯାଇଛି

ଅଭିଯୋଗ କରିବାରୁ ଏମିତି ମିଳିଲା ଉତ୍ତର

ଆଗର ମାଲବାର ହରିଶ ଯାଦବଙ୍କ ପାଖକୁ ୩୦ହଜାର ଟଙ୍କାର ବିଦ୍ୟୁତ ବିଲ ଆସିଥିଲା । ସେ ଏହାକୁ ନେଇ ଅନଲାଇନରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀ ତାଙ୍କ ଅଭିଯୋଗକୁ ନେଇ କଣ ପଦକ୍ଷେପ ନିଆଯାଇଛି ତାହା ଜାଣିବାକୁ ଅନଲାଇନରେ ଷ୍ଟାଟସ ଚେକ୍ କରିଥିଲେ । ତେବେ ଷ୍ଟାଟସରେ ଯାହା ଦେଖିଥିଲେ ତାହା ତାଙ୍କୁ ଚମକାଇ ଦେଇଥିଲା । ଷ୍ଟାଟସରେ ଲେଖାଯାଇଥିଲା ଯେ,  ‘‘ଯଦି ବିଲରେ ରିହାତି ଚାହୁଁଛ ତେବେ ବିଜେପିକୁ ହଟାଇବାକୁ ପଡିବ ଓ କଂଗ୍ରେସକୁ ଆଣିବାକୁ ପଡିବ । ୧୦୦ରୁ ୧୦୦ଟଙ୍କା ଆଣିବାକୁ ପଡିବ’’  । ଏଭଳି ମେସେଜ୍ ଦେଖି ହରିଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଜିଲ୍ଲାପାଳଙ୍କ ଅଫିସରେ ଏନେଇ ଅଭିଯୋଗ କରିଛନ୍ତି ।

ଉପର ମହଲରେ ହଲଚଲ

ମଧ୍ୟପ୍ରଦେଶରେ ବିଜେପି ସରକାର ଥିବା ବେଳେ ଗୋଟିଏ ସରକାରୀ ୱେବସାଇଟରୁ ଏମିତି ଯବାବ ମିଳିବାକୁ ନେଇ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି । ମାମଲାର ଛାନଭିନ୍ ଚାଲୁଥିବା ବେଳେ ଯିଏ ଏମିତି କରିଛନ୍ତି ତାଙ୍କୁ ଏବେ ଖୋଜା ଚାଲିଛି । ବିଦ୍ୟୁତ ବିଭାଗର ଜଣେ ସ୍ଥାନୀୟ ଇଂଜିନିୟରଙ୍କ ଅନୁସାରେ ୱେବସାଇଟର ପାସୱାର୍ଡ ଅନେକ କର୍ମଚାରୀଙ୍କ ପାଖରେ ଅଛି । ତେଣୁ ସେଠାରୁ ଏମିତି କିଛି ହୋଇଥିବ ।

ମନରେ କଂଗ୍ରେସ ସରକାର !

ଆଗର ମାଲବା ବିଧାନସଭାରେ ଉପନିର୍ବାଚନ ହେବାକୁ ଅଛି । ତେଣୁ ଏହି ଘଟଣା ରାଜନୈତିକ ରୂପ ନେଲାଣି । ଚର୍ଚ୍ଚା ହେଉଛି ଯେ, ରାଜ୍ୟରେ କମଲନାଥ ସରକାରଙ୍କ ସ୍ଥାନରେ ବିଜେପି ସରକାର ଆସି ସାରିଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କ ମନରୁ କଂଗ୍ରେସ ସରକାର ଯାଇ ନାହାନ୍ତି ।

 

Leave a Reply