ହଟିଲା କଟକଣା, ଏଥର ବାଜିବ ଡିଜେ ଆଉ ଜୋରଦାର ହୋଇପାରିବ ପ୍ରସେସନ୍‌

1 min read
light sound

ଭୁବନେଶ୍ୱର: ହଟିଲା କଟକଣା । ଏଥର ବାଜିବ ବାଜା, ବାଜା ବ୍ୟାଣ୍ଡପାର୍ଟି ପାଇଁ ମିଳିଲା ଅନୁମତି । ବ୍ୟାଣ୍ଡ, ଲାଇଟ୍‌ ଆଣ୍ଡ ସାଉଣ୍ଡକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ ପରିବର୍ତ୍ତନ କରାଯାଇଛି ।

କୋଭିଡ୍‌ ମହାମାରୀ ଯୋଗୁଁ ବାହାଘର ପ୍ରସେସନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ଏବେ ଓଡ଼ିଶା ସରକାର ପ୍ରତ୍ୟାହାର କରିଛନ୍ତି । ଏଣିକି ବାହାଘରରେ ବାଜିପାରିବ ବାଜା ଏବଂ ହୋଇପାରିବ ପ୍ରସେସନ୍‌ । ଗୋଟିଏ ପରେ ରାଜ୍ୟରେ କରୋନା ଭ୍ୟାକ୍ସିନ୍‌ ପହଞ୍ଚିସାରିଥିବା ବେଳେ ଅନ୍ୟପଟେ କରୋନାର ପ୍ରକୋପ କମିବାରେ ଲାଗିଛି । ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ହାର କମୁଛି । ଏମିତିକି ଅନେକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ତେଣୁ ଏଭଳି ସ୍ଥିତିକୁ ଲକ୍ଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା କୋହଳ କରାଯାଇଛି । ବିବାହ ବ୍ରତ ଆଦି ଉତ୍ସବରେ ପ୍ରସେସନ୍‌ ସହ ଲାଇଟ୍‌ ସାଉଣ୍ଡ ପାଇଁ ମଧ୍ୟ ଅନୁମତି ଦିଆଯାଇଛି ।

light sound

ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି । ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ କମିସନର ଏକ ବିଜ୍ଞପ୍ତି ପ୍ରକାଶ କରି କହିଛନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।

Leave a Reply