ରାଜଧାନୀରେ ୨୭ଟି ସରକାରୀ ଓ ୧୮ଟି ବେସରକାରୀ ହସ୍ପିଟାଲରେ ହେବ ଟିକାକରଣ

1 min read
Corona Vaccine

ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ ଘଟିଛି, ଭୁବନେଶ୍ୱରରେ ପହଞ୍ଚିଛି କୋଭିସିଲ୍‌ଡ ଟିକା । ଭାକ୍ସିନ ପହଞ୍ଚିବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଭ୍ୟାକ୍ସିନ ଷ୍ଟୋରର ପହଞ୍ଚି ସ୍ଥିତି ପରଖିଥିଲେ । କୋଭିସିଲ୍‌ଡର ୪ ଲକ୍ଷ ୮ହଜାର ଡୋଜ୍ ଆସିଛି । ଗୋଟିଏ ଶିଶିରୁ ୧୦ଟି ଡୋଜ୍‌ ଦିଆଯାଇପାରିବ । ସେହି ଅନୁସାରେ ଆସିଥିବା ଟିକା ୧ ଲକ୍ଷ ୯୧ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ ।

ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା ପ୍ରଦାନ କରାଯାଇଛି । ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଓପନ୍ ଅଛି । ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର ଖୋଲାଯାଇଛି । ବିଏମ୍‌ସି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି ।

୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନରେ କୋଭିଡ୍- ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ । କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍‌ସ ହସ୍ପିଟାଲରେ ହେବ କୋଭିଡ୍‌ ଟିକାକରଣ ।

ଅନ୍ୟପଟେ ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ । କୋଭିଡ୍ ମହାମାରୀ ସଂକ୍ରମଣ ଅଧିକ ଥିବା ଅଞ୍ଚଳକୁ ବି ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକସିନ୍ ଷ୍ଟୋରରୁ ସବୁ ଜିଲ୍ଲାକୁ ଟିକା ନେବା ପାଇଁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି କରାଯାଇଛି । ସେମାନେ ଭ୍ୟାକସିନ୍ ଗାଡ଼ି ପଠାଇ ଟିକା ନେଇପାରିବେ । ଟିକା ନେଇ ଜିଲ୍ଲା ଭ୍ୟାକସିନ୍ ଷ୍ଟୋରରେ ରଖିବେ । ସେଠାରୁ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ଟିକା ପଠାଯିବ । ୧୬ତାରିଖରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

ସେହିପରି କୋଭାକ୍ସିନ୍‌ର ୨୦ ହଜାର ଡୋଜ୍ ଆସିବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡାଟା ପ୍ରସ୍ତୁତ କରିବାକୁ ଗୃହ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଏବଂ ଅର୍ବାନ ବିଭାଗକୁ ଚିଠି କରାଯାଇଛି । ଜାନୁଆରୀ ୨୫ ସୁଦ୍ଧା ଡାଟା ବେସ୍‌ ପ୍ରସ୍ତୁତ କରାଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

Leave a Reply