ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ପତ୍ନୀ ଯୋଗିତାଙ୍କ ଉପରେ ଧମକ ଆରୋପ

1 min read

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ ଉପରେ ଦୁଷ୍କର୍ମ ଏବଂ ଜୋର ଜବରଦସ୍ତି ଗର୍ଭପାତ କରାଇବାର ଅଭିଯୋଗ ଆସିଛି । ଜଣେ ୩୮ ବର୍ଷିୟା ମହିଳା ମିଥୁନଙ୍କ ପୁଅ ବିରୋଧରେ ଗୁରୁବାର ରାତିରେ ଓଶିବାର ପୋଲିସ ଷ୍ଟେସନ FIR ଦାଖଲ କରିଛନ୍ତି । FIRରେ ମିଥୁନଙ୍କ ସ୍ତ୍ରୀ ଯୋଗିତା ବାଲିଙ୍କ ନାଆ ମଧ୍ୟ ଉଲ୍ଲେଖ କରାଯାଇଛି । ତାଙ୍କ ଉପରେ ପୀଡ଼ିତାଙ୍କୁ ଧମକାଇବାର ଅଭିଯୋଗ ରହିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ଖେଳି ଯାଇଛି ।

 ମିଥୁନଙ୍କ ପୁଅ ଉପରେ ଦୁଷ୍କର୍ମର ଅଭିଯୋଗ

ଦାଖଲ କରାଯାଇଥିବା FIR ମୁତାବକ ମହାକ୍ଷୟ ଚକ୍ରବର୍ତ୍ତୀ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆସିଛି । ପୀଡ଼ିତାଙ୍କ କହିବା ଅନୁଯାୟୀ ୨୦୧୫ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସେ ମହାକ୍ଷୟ ସହିତ ରିଲେସନସିପରେ ଥିଲେ । ତାଙ୍କ କହିବା ଅନୁଯାୟୀ, ୨୦୧୫ ମସିହାରେ ସେ ଯେତେବେଳେ ମହାକ୍ଷୟଙ୍କ ଅନ୍ଧେରୀରେ ଥିବା ଘର ଦେଖିବାକୁ ଯାଇଥିଲେ, ସେତେବେଳେ ତାଙ୍କ ଡ୍ରିଙ୍କସରେ କିଛି ମିଶା ଯାଇଥିଲା ଏବଂ ପରେ ତାଙ୍କ ସହ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରାଯାଇଥିଲା । ଏହାପରେ ପୀଡ଼ିତା ଗର୍ଭବତୀ ହୋଇଯାଇଥିଲେ ଏବଂ ମହାକ୍ଷୟ ତାଙ୍କୁ ଗର୍ଭପାତ କରିବା ପାଇଁ କହିଥିଲେ । ପୀଡ଼ିତାଙ୍କ କହିବା ଅନୁଯାୟୀ ତାଙ୍କୁ ନଜଣାଇ କିଛି ଔଷଧ ଖୁଆଇ ତାଙ୍କର ଗର୍ଭପାତ କରାଯାଇଥିଲା ।

 ସ୍ତ୍ରୀ ଯୋଗିତା ମଧ୍ୟ ଫସିଛନ୍ତି

FIR ଉଲ୍ଲେଖ କରାଯାଇଛି ଯେ, ଏହି ଘଟଣା ପରେ ପୀଡ଼ିତା ଏବଂ ମହାକ୍ଷୟଙ୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗିଲା । କିନ୍ତୁ ଏହି ସମୟରେ ଯେତେବେଳେ ପୀଡ଼ିତା ମହାକ୍ଷୟଙ୍କ ସହ ସଂପର୍କ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ମିଥୁନଙ୍କ ସ୍ତ୍ରୀ ଯୋଗିତା ତାଙ୍କୁ ଧମକ ଦେଇଥିଲେ । FIRରେ ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଯୋଗିତା ବାଲିଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଯାଇଛି । ପୀଡ଼ିତାଙ୍କ କହିବା ଅନୁଯାୟୀ, ପୀଡ଼ିତା ନିଜ ସହିତ ହୋଇଥିବା ସମସ୍ତ ଘଟଣା ଯୋଗିତାଙ୍କ ସହ ସେୟାର କରିଥିଲେ କିନ୍ତୁ ଯୋଗିତା ତାଙ୍କୁ ଧମକ ଦେବା ସହ ମାମଲା ରଫା ଦଫା କରିବାକୁ କହିଥଲେ । ପୀଡ଼ିତା ତା ପରେ ଦିଲ୍ଲୀ ଫେରିଯାଇ ଏ ବାବଦରେ ବେଗମପୁର ପୋଲିସ ଷ୍ଟେସନରେ FIR ଦେଇଥିଲେ । ସେହି ପୋଲିସ ଷ୍ଟେସନରେ ମହାକ୍ଷୟ ଏବଂ ତାଙ୍କ ମାଆଙ୍କ ବିରୋଧରେ ଧାରା ୩୭୬ (ଦୁଷ୍କର୍ମ) ଏବଂ ୩୧୩ ଆଧାରରେ ଅଭିଯୋଗ ଦାଖଲ କରାଯାଇଛି । ପରେ ସେହି ମାମଲାକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଗଲା । କିନ୍ତୁ ସେ ସମୟରେ ଦିଲ୍ଲୀ ହାଇକୋର୍ଟ ତରଫରୁ ମହାକ୍ଷୟ ଏବଂ ତାଙ୍କ ମାଆଙ୍କୁ ଆଗ୍ରିମ ଜମିନ ଦିଆଯାଇଥିଲା ।

ଏହାପରେ ଚଳିତ ବର୍ଷ ମାର୍ଚ୍ଚ ମାସରେ କୋର୍ଟ ପକ୍ଷରୁ ପୀଡ଼ିତାଙ୍କୁ ସେହି ସ୍ଥାନରେ FIR ଦାଖଲ କରିବାକୁ କୁହାଗଲା ଯେଉଁ ସ୍ଥାନରେ ଘଟଣା ଘଟିଥିଲା । ଏମିତିରେ ପୀଡ଼ିତା ସେହି ବର୍ଷ ଜୁଲାଇରେ ମୁମ୍ବାଇର ଓଶିବାରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ  IPC ଧାରା ୩୭୬, ୩୭୬ (୨), ୩୨୮, ୪୧୭, ୫୦୬ ଏବଂ ୩୪ ଅଧିନରେ ମାମଲା ଦାଖଲ କରାଯାଇଥିଲା । ଦୁଷ୍କର୍ମଠାରୁ ଆରମ୍ଭ କରି ଠକାମି ପର୍ଯ୍ୟନ୍ତ, ମହାକ୍ଷୟଙ୍କ ଉପରେ ଅନେକ ଅଭିଯୋଗ ରହିଛି ।

Leave a Reply