ମମତା ଘର :  ଖଣିଜ ପ୍ରଭାବିତ ଅଞ୍ଚଳରେ ପୃଷ୍ଟିହୀନତା ଦୂର କରିବା ପାଇଁ ଏକ ଅନନ୍ୟ ପ୍ରୟାସ

ଭୁବନେଶ୍ୱର : ରାଜ୍ୟର ସବୁଠୁ ସମୃଦ୍ଧଶାଳୀ ଜିଲା କେନ୍ଦୁଝର । ଏହି ଜିଲାର ଖଣିଜ ସମ୍ପଦ ରାଜ୍ୟ ତଥା ଦେଶ ଅର୍ଥନୀତିର ପ୍ରମୁଖ ଉପାଦାନ । ଖଣି ଉତ୍ତୋଲନ ଦ୍ୱାରା ଏହି ଜିଲାର ବ୍ୟକ୍ତି ବିଶେଷ ମଧ୍ୟ ପ୍ରଭାବିତ ହୋଇଥାଆନ୍ତି । ଏହାକୁ ଦୃଷ୍ଟିରେ ସେମାନଙ୍କ ଜୀବନ ଧାରଣ ମାନକୁ ଆହୁରି ଉନ୍ନତ କରିବା ପାଇଁ ସରକାରୀସ୍ତରରେ ସମସ୍ତ ପଦକ୍ଷେପ ନିଆଯାଉଛି । ସେହିକ୍ରମରେ ଜିଲା ଖଣିଜ ପାଣ୍ଠି(ଡିଏମଏଫ) କାର୍ଯ୍ୟ କରୁଛି ।

ଏହି ଡିଏମଏଫ ପାଣ୍ଠି ଦ୍ୱାରା କେନ୍ଦୁଝର ଜିଲାର ସୃଷ୍ଟି କରାଯାଇଛି ମମତା ଘର । ପ୍ରଥମ ଥର ପାଇଁ ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଜିଲାରେ ଶିଶୁମାନେ ଯେପରି କୁପୋଷଣର ଶୀକାର ନ ହେବେ, ସେଥିପ୍ରତି ବ୍ୟାପକ ଗୁରୁତ୍ୱ ଦିଆଯାଉଛି । ଏହି ମମତା ଘର ଯୋଜନାକୁ ଜାତୀୟସ୍ତରୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ଏକଜୁଟ ପରିଚାଳନା କରୁଛି ।

୨୦୧୮ରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଦ୍ୱାରା ସ୍ଥାନୀୟ ବାଂଶପାଳ, ହରିଚନ୍ଦନପୁର ଏବଂ ଯୋଡ଼ା ବ୍ଲକ ସହ ବଡ଼ବିଲ ପୌରାଞ୍ଚଳରେ ପ୍ରାୟ ୬୦ଟି ମମତା ଘର ପରିଚାଳିତ ହେଉଛି । ଏହା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୨୧୮୨ ଶିଶୁ ଉପକୃତ ହୋଇ ଆସୁଛନ୍ତି ।  କର୍ମକ୍ଷେତ୍ରକୁ ଯାଉଥିବା ମାଆ ମାନେ ନିଜ ପିଲାମାନଙ୍କୁ ଏହି ମମତା ଗୃହରେ ଛାଡି ଦେଇ ଯାଇଥାଆନ୍ତି । ପ୍ରାୟ ସକାଳ ୮ଟା ସମୟରୁ ମମତା ଘର ସହାୟିକାମାନେ ପିଲାମାନଙ୍କ ଯତ୍ନ ନେବା ଆରମ୍ଭ କରି ଦେଇଥାଆନ୍ତି । ଶିଶୁ ମାନଙ୍କୁ ଠିକ୍ ସମୟରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ସହ ସେମାନଙ୍କୁ ଖେଳକୁଦରେ ନିୟୋଜିତ କରାଯାଇଥାଏ ।  କେବଳ ଶାରୀରିକ ନୁହେଁ, ଶିଶୁ ମାନଙ୍କର ମାନସିକ ବିକାଶକୁ ମଧ୍ୟ ମମତା ଘର ଗୁରୁତ୍ୱ ଦେଉଛି ।

ସେହିପରି ନିକଟରେ ଅକ୍ସଫୋର୍ଡ ପଲିସି ମ୍ୟାନେଜମେଣ୍ଟ ପକ୍ଷରୁ ଏକ ସ୍ୱାଧୀନ ଭାବେ ପ୍ରକଳ୍ପଗୁଡିକର ମୂଲ୍ୟ ନିର୍ଦ୍ଦାରଣ କରାଯାଇଛି । ମମତା ଘର ଦ୍ୱାରା ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖି ଆଗାମୀ ୬ ମାସ ମଧ୍ୟରେ ୪୦୦ ନୂଆ ମମତା ଘର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି ମମତା ଘରର ଆଉ ଏକ ଉଲ୍ଲେଖନୀୟ କଥା ହେଉଛି, ପିଲାମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଖେଳନାଗୁଡିକରେ ପ୍ଲାଷ୍ଟିକ ବ୍ୟବହାର କରାଯାଇନାହିଁ । ମମତା ଘରର କାନ୍ଥରେ ରଙ୍ଗବେରଙ୍ଗ ଚିତ୍ର ସବୁ କରାଯାଇଛି । ଶିଶୁ ମାନଙ୍କୁ ଖଆଇବା ପୂର୍ବରୁ ଓ ପରେ ହାତ ଧୋଇବା, ନିଜର ପରିବେଶକୁ ସଫା ରଖିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ପିଲାମାନଙ୍କ ପାଇଁ ହାତ ଧୋଇବାକୁ ଆହୁରି ସ୍ୱଚ୍ଛ କରିବା ପାଇଁ ହ୍ୟାଣ୍ଡୱାଶ ଷ୍ଟେସନ କରାଯାଇଛି ।

କେଉଁ ଦିନ କେଉଁ ଖାଦ୍ୟ ଶିଶୁ ମାନଙ୍କୁ ଦିଆଯିବ, ତାହାର ସାରଣୀ ମଧ୍ୟ ପ୍ରସ୍ତୁତ ହୋଇଛି । ବିଶେଷ କରି ୭ ମାସରୁ ୩ ବର୍ଷର ଶିଶୁମାନଙ୍କ ଯତ୍ନ ଏହି ମମତା ଘରଗୁଡିକ ଦ୍ୱାରା ନିଆଯାଉଛି । ସାଧାରଣତଃ ପିଲାମାନଙ୍କୁ ସାପ୍ତାହିକ ୪ଟି ଅଣ୍ଡା ଦିଆଯାଉଥିବା ବେଳେ, ପୃଷ୍ଟିହୀନତାର ଶୀକାର ହୋଇଥିବା ଶିଶୁମାନଙ୍କୁ ୬ ଗୋଟି ଅଣ୍ଡା ପ୍ରଦାନ କରାଯାଉଛି । କେବଳ ସେତିକି ନୁହେଁ, ବୟସ ଅନୁଯାୟୀ ଶିଶୁ ମାନଙ୍କୁ ଓଜନ କରାଯାଉଛି । ପ୍ରତି ମାସରେ ଓଜନ ସହ ଦୁଇ ମାସରେ ସେମାନଙ୍କ ଉଚ୍ଚତା ମଧ୍ୟ ମପା ଯାଉଛି ।

ମମତା ଘର ସ୍ଥାନୀୟ ଅଞ୍ଚଳରେ ବିରାଟ ପରିବର୍ତ୍ତନ ଆଣିଛି । ଯାହାର ଝଲକ ଏବେ ବହୁଳ ଭାବରେ କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି । ଅନେକ ସମୟରେ ଘରର ସ୍କୁଲ ଯାଉଥିବା ପିଲାମାନେ ନିଜର ସାନଭାଇଭଉଣୀମାନଙ୍କୁ ଜଗି ଘରେ ରହୁଥିଲେ । ହେଲେ ଏହି ମମତା ଘର ଯୋଜନା କାର୍ଯ୍ୟକାରୀ ହେବା ପରେ ଏହି ଘଟଣା ଆଉ ଦେଖିବାକୁ ମିଳୁନାହିଁ । ଦ୍ୱିତୀୟତଃ ପିଲାମାନେ କୁପୋଷଣ ଶୀକାର ହେବା ନେଇ ଅନେକ ଖବର ଆସୁଥିଲା । ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଆସିଛି । ଅନେକ ସମୟରେ ମାଆମାନେ ନିଜ ଶିଶୁ ମାନଙ୍କୁ କର୍ମକ୍ଷେତ୍ରକୁ ନେଇ ଯାଉଥିଲେ । ହେଲେ ଏବେ ସେହି ସମସ୍ୟା ନାହିଁ । ମାଆଟିଏ ନିଶ୍ଚିତରେ ନିଜ ପିଲାମାନଙ୍କୁ ମମତା ଘରେ ଛାଡି ଦେଇ ଯାଉଛି ।

ଏହି ସବୁ ସଫଳତାରେ ସ୍ଥାନୀୟ ଲୋକଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଛି । ଯେମିତି କି ମମତା ଘରକୁ ନିୟମିତ ଭାବେ ପରିସ୍କାର ରଖିବା, ବଗିଚା ତିଆରି, କାନ୍ଥ ରଙ୍ଗ କରିବା ସହ ଶିଶୁ ମାନଙ୍କ ପାଇଁ ଆରିଶା ପିଠା ତିଆରିରେ ସହଯୋଗ କରିଥାଆନ୍ତି । କରୋନା ସମୟରେ ଲକଡାଉନ କାରଣରୁ ବିଭିନ୍ନ କାର୍ଯ୍ୟ ବନ୍ଦ ରହିଥିବାରୁ ସାମୟିକ ଭାବେ ଏହା ବନ୍ଦ ହୋଇଥିଲା । ମାତ୍ର ଏହି ସମୟରେ ମମତା ଘରକୁ ଆସୁଥିବା ପିଲାମାନଙ୍କ ନିକଟକୁ ସପ୍ତାହକ ମଧ୍ୟରେ ୪ଟି ଅଣ୍ଡା, କୁପୋଷଣ ଶୀକାର ହେଉଥିବା ପିଲାଙ୍କୁ ୬ଟି ଅଣ୍ଡା ଘରେ ଯାଇ ପ୍ରଦାନ କରାଯାଉଛି । ସେହିପରି ମମତା ଦିଦିମାନେ ବଗିଚା ତିଆରି , ଖେଳନା ପ୍ରସ୍ତୁତିରେ ନିଜକୁ ନିୟୋଜିତ ରଖୁଛନ୍ତି ।

 

Leave a Reply