ଆଜି ପବିତ୍ର ମହାଳୟା ଶ୍ରାଦ୍ଧ, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ପରିବାର ବର୍ଗ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଶ୍ରାଦ୍ଧ । ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡିଥାଏ ତାହା ମହାଳୟା ନାମରେ ନାମିତ ହୋଇଥାଏ । ମୁଖ୍ୟତଃ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷ ଦିବସ । ପିତୃପକ୍ଷ ଲୋକମାନଙ୍କର ଆତ୍ମାର ସଦଗତି କାମନା କରି ଆତ୍ମୀୟ ସ୍ୱଜନ ମାନେ ଆଜି ଶ୍ରାଦ୍ଧ ଦେଇଛନ୍ତି ।

ଆଜିର ଏହି ଦିନରେ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ । ଏହି ପିଣ୍ଡଦାନ ଦ୍ୱାରା ପିତୃ ତଥା ମାତାଙ୍କ ସହ ତିନିପୁରୁଷ ଏପରିକି ମାମୁଁଘରର ପିତୃପୁରୁଷ ମାନଙ୍କୁ ପିଣ୍ଡଦାନ ଓ ପୂଜନ କରାଯାଇଥାଏ । ବିଶ୍ୱାସ ଅଛି ଆଜିର ଦିନରେ ଶ୍ରାଦ୍ଧ, ପିଣ୍ଡଦାନ ତଥା ତର୍ପଣ କଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଵା ସହ ସେମାନେ ନିଜ ନିଜ ପରିବାରକୁ ଆଶ୍ରୀବାଦ ପ୍ରଦାନ କରିଥାନ୍ତି ବୋଲି କୁହାଯାଏ ।

ଗତ ପନ୍ଦରଦିନ ଧରି ପିତୃପକ୍ଷ ଚାଲିଥିବା ବେଳେ ଆଜି ହେଉଛି ଏହି ପକ୍ଷର ଅନ୍ତିମଦିନ । ପିତୃ ପୁରୁଷ ମାନଙ୍କ ମୃତ୍ୟୁ ତିଥି ଅନୁସାରେ ଏହି ପନ୍ଦରଦିନ ମଧ୍ୟରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ପିଣ୍ଡଦାନ ଓ ଶ୍ରାଦ୍ଧ ତଥା ତିଳତର୍ପଣର ବ୍ୟବସ୍ଥା କାଳ କାଳରୁ ଚାଲିଆସିଥିବା ବେଳେ ମହାଳୟା ଅବସରରେ ନିଜ ଘରେ ପଞ୍ଚପୁଷ୍କରିଣୀ ଓ ମହୋଦଧିରେ ପିଣ୍ଡଦାନ କରି ନିଜକୁ ଧନ୍ୟମନେ କରିଛନ୍ତି ।

 

 

ତେବେ ସାଧାରଣତଃ ପ୍ରତ୍ୟେକ ବର୍ଷ ପୁରୀ ଶ୍ରୀମନ୍ଦିର ବାଇଶିପାହାଚରେ ଶ୍ରାଦ୍ଧ ଦେବା ଉଦ୍ଦେଶ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ଆସିଥାନ୍ତି । ଯେହେତୁ କରୋନା ମହାମାରୀର କଟକଣା ରହିଛି ଏନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ମନା ଥିବା ବେଳେ ଶ୍ରାଦ୍ଧ ଦେବା ପାଇଁ ମଧ୍ୟ ବାରଣ କରାଯାଇଛି । ତେଣୁ ଲୋକମାନେ ନିଜ ନିଜ ଘରେ, ମହୋଦଧି ତଥା ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ପକାଇଛନ୍ତି ।

Leave a Reply