ସଂକ୍ରମଣ ବଢ଼ିଲେ ହୋଇପାରେ ଲକ୍‌ଡାଉନ୍, ମାନନ୍ତୁ ନିୟମ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବଢିପାରେ କରୋନା ସଂକ୍ରମଣ ମାମଲା । ଏଭଳି ହେଲେ ପୁଣିଥରେ ଲକଡାଉନ ହେବାର ଆଶଙ୍କା ରହିଛି । ଯଦିଓ ବର୍ତ୍ତମାନ ପରିସ୍ଥିତିରେ ଦୈନିକ କରୋନା ସଂକ୍ରମଣ କମୁଛି ।

ଯଦି ଜନସାଧାରଣ ସତର୍କ ନରୁହନ୍ତି ତାହେଲେ ଆଗାମୀ ଦିନରେ କରୋନା ସଂକ୍ରମଣ ବଢ଼ିପାରେ । ଏମିତି ହେଲେ ରାଜ୍ୟରେ ପୁଣି ଲକ୍‌ଡାଉନ୍ ହୋଇପାରେ ବୋଲି କହିଛନ୍ତି ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନ ଯେପରିକି ମାର୍କେଟ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ସ୍ଥାନ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ଏସବୁ ସ୍ଥାନରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ମହାରାଷ୍ଟ୍ର ଓ କେରଳରେ ଲକଡାଉନ ସହ କିଛି ସ୍ଥାନରେ ରାତି କର୍ଫ୍ୟୁ ଲାଗୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢ଼ିନି। ଜନସାଧାରଣ ନିଜେ ସଚେତନ ରହିଲେ, ଲକ୍‌ଡାଉନ୍‌ର ଆବଶ୍ୟକତା ପଡିବନି । ପ୍ରତିଦିନ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି । ହେଲେ ସାଢ଼େ ୪ କୋଟି ଲୋକଙ୍କ ପାଖକୁ ଯାଇ ହେବନି। ତେଣୁ ଯେଉଁ ଲୋକଙ୍କ ଭିତରେ କିଛି ବି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

 

Leave a Reply