ମାଟିରୁ ମହାକାଶ ଛୁଇଁଥିବା ଜଣେ ଯୁବ ବୈଜ୍ଞାନିକଙ୍କ କାହାଣୀ ଯାହା ଆପଣଙ୍କୁ ପ୍ରେରିତ କରିବ

ବେଙ୍ଗଳୁରୁ: ପ୍ରତାପ ଏମ୍ଏନ୍ । ମାସକରେ ୨୮ ଦିନ ବିଦେଶ ଯାତ୍ରା କରୁଥିବା ଯୁବ ବୈଜ୍ଞାନିକ । ମାଟିରୁ ମହାକାଶକୁ ଛୁଇଁଥିବା ଏହି ଯୁବ ବୈଜ୍ଞାନିକ ଜୀବନ କାହାଣୀ ବେଶ୍ ନିଆରା । ଯିଏ କି ଫ୍ରାନ୍ସର ମାସକୁ ୧୬ ଲକ୍ଷ ଟଙ୍କାର ଚାକିରିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯେଉଁ ଚାକିରିରେ ୫ ବିଏଚକେ ଘର ସହିତ ୨.୫ କୋଟିର କାର୍ ସାମିଲ୍ ଥିଲା । କିନ୍ତୁ, ସମ୍ମାନର ସହ ଚାକିରି କରିବାକୁ ମନା କରି ଦେଇଥିଲେ ପ୍ରତାପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ବୈଜ୍ଞାନିକ ପ୍ରତାପଙ୍କୁ ପ୍ରଶଂସା କରିବା ସହିତ ଡିଆରଡିଓରେ ନିଯୁକ୍ତି ଅଫର୍ ଦେଇଛନ୍ତି ।

ତେବେ, କିଏ ଏହି ଡ୍ରୋନ୍ ବୈଜ୍ଞାନିକ ? କର୍ଣ୍ଣାଟର ମୟସୁର ନିକଟ କଡାଇକୁଡି ଗାଁରେ ଜନ୍ମିତ ୨୧ ବର୍ଷୀୟ ପ୍ରତାପ । ପ୍ରତାପଙ୍କ ବାପା ଜଣେ ଚାଷୀ, ଯାହାଙ୍କ ମାସିକ ରୋଜଗାର ମାତ୍ର ୨ ହଜାର ଟଙ୍କା । ପିଲାଦିନୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ପ୍ରବଳ ଆଗ୍ରହ ରହିଛି ତାଙ୍କର । ଯୁକ୍ତ ୨ ଅଧ୍ୟୟନ ବେଳେ ସେ ବିଭିନ୍ନ ଆଭିଏସନ୍, ସ୍ପେଶ, ରୋଲ୍ସ ରୟସ କାର, ବୋଇଂ ୭୭୭ ୱେବସାଇଟ ସାଇବର କେଫରେ ବସି ଦେଖୁଥିଲେ । ଆଗ୍ରହ ଓ ଅଧ୍ୟ ବ୍ୟବସାୟ ଆଗରେ ହାର ମାନିଥିଲା ଗରିବୀ । ପ୍ରତାପ ଦ୍ୱାଦଶ ପଢିବା ବେଳେ ବିଶ୍ୱର କୋଣ ଅନୁକୋଣରେ ଥିବା ବୈଜ୍ଞାନିକଙ୍କୁ ତାଙ୍କ ଆଗ୍ରହ ନେଇ ଶତାଧିକ ଇମେଲ୍ ପଠାଇଥିଲେ । ସେ ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିଲେ କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ବିଏସି(ଫିଜିକ୍ସ)ରେ ନାମ ଲେଖାଇଥିଲେ । ଦୁର୍ବିସହ ଥିଲା କଲେଜ ଜୀବନ, ତଥାପି ସେ ହାର୍ ମାନିନଥିଲେ । ବୈଜ୍ଞାନିକ ହେବାର ଅଦମ୍ୟ ଇଚ୍ଛା ଆଗରେ ହାର ମାନିଥିଲା ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକ । ବିଏସି ପଢ଼ିବା ବେଳେ ଫିସ୍ ଦେଇ ନ ପାରିବାରୁ ତାଙ୍କୁ ହଷ୍ଟେଲରୁ ବାହାର କରି ଦିଆଯାଇଥିଲା । ପରେ ସେ ମୟସୁର ବସ୍ ଷ୍ଟାଣ୍ଡରେ ରାତି ବିତାଉ ଥିଲେ । ନିଜ ଉଦ୍ୟମରେ କମ୍ପ୍ୟୁଟର ପାଠ୍ୟକ୍ରମ ସି ପ୍ଲସ, ଜାଭା କୋର ଆଦି ଶିଖିଥିଲେ । ଅବ୍ୟବହୃତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀରୁ ଡ୍ରୋନ୍ ତିଆରି ଶିଖିବା ସହ ପ୍ରାୟ ୮୦ ଥର ପ୍ରୟାସ ପରେ ତିଆରି କରିଥିଲେ ଡ୍ରୋନ୍ ।

ମୟସୁରରୁ ଟୋକିଓ

ଡ୍ରୋନ୍ ମଡେଲ କମ୍ପିଟସନରେ ଭାଗ ନେବା ପାଇଁ ସେ ଆଇଆଇଟି ଦିଲ୍ଲୀ ଯାଇଥିଲେ । ସେଠାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ଜାପାନରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ । ତେବେ, ଏଥିପାଇଁ ତାଙ୍କ ଥେସିସକୁ ଚେନ୍ନାକ କଲେଜର ପ୍ରଫେସର ଅନୁମୋଦନ କରିବାର ଥିଲା । ସେଥିପାଇଁ ସେ ପ୍ରଥମ ଥର ଚେନ୍ନାଇ ଯାଇଥିଲେ । ଥେସିସ୍ ଅନୁମୋଦନ ବେଳେ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଜାପାନ ଯିବା ପାଇଁ ତାଙ୍କୁ ୬୦ ହଜାର ଟଙ୍କାର ଆବଶ୍ୟକତା ଥିଲା । ଜଣେ ସହୃଦୟବାନ ବ୍ୟକ୍ତି ତାଙ୍କୁ ଟୋକିଓ ଟିକେଟ ଦେବା ପରେ ସେ ମାଆଙ୍କ ମଙ୍ଗଳ ସୂତ୍ର ବିକ୍ରି କରି ବଳକା ଅର୍ଥ ଯୋଗାଡ଼ କରିଥିଲେ । ଏକୁଟିଆ ଟୋକିଓରେ ପହଞ୍ଚିବା ବେଳକୁ ତାଙ୍କ ପାଖରେ ମାତ୍ର ୧୪୦୦ ଟଙ୍କା ବଳିଥିଲା । ସେଥିରେ ସେ ଭାଙ୍ଗି ନପଡ଼ି ବ୍ୟୟବହୁଳ ବୁଲେଟ୍ ଟ୍ରେନ ନଚଢ଼ି ସାଧାରଣ ଟ୍ରେନରେ ୧୬ଟି ଷ୍ଟେସନରେ ଟ୍ରେନ୍ ପରିବର୍ତ୍ତନ କରି ଲଗେଜ୍ ସହ ଶେଷ ଷ୍ଟେସନରେ ପହଞ୍ଚିଥିଲେ । ସେଠାରୁ ୮ କିମି ଚାଲି ଚାଲି ଯିବା ପରେ ପ୍ରତିଯୋଗିତା ସ୍ଥଳରେ ପହଞ୍ଚିଥିଲେ ପ୍ରତାପ ।

ଟୋକିଓରେ ଆୟୋଜିତ ପ୍ରତିଯୋଗିତାରେ ୧୨୭ଟି ଦେଶରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପ୍ରତାପ । ତାଙ୍କୁ ୧୦ ହଜାର ଆମେରିକୀୟ ଡଲାର ପୁରସ୍କାର ମିଳିଥିଲା । ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, କର୍ଣ୍ଣାଟକର ବିଧାୟକ ଓ ସାଂସଦ ତାଙ୍କୁ ପ୍ରଶଂସା କରିଥିଲେ । ଫ୍ରାନ୍ସରୁ ତାଙ୍କୁ ଉଚ୍ଚ ବେତନର ଚାକିରି ମଧ୍ୟ ମିଳିଥିଲା । ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଡିଆରଡିଓରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Leave a Reply