ପଞ୍ଚଭୂତରେ ଲୀନ ହେଲେ ପ୍ରକାଶ ରାଓ, ମାଟିରେ ମିଶିଲା ପଦ୍ମଶ୍ରୀଙ୍କ ପାର୍ଥିବ ଶରୀର

କଟକ: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପ୍ରକାଶ ରାଓ । ମାଟିରେ ମିଶିଛି ପଦ୍ମଶ୍ରୀଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହେଲା ଶେଷକୃତ୍ୟ । ସାନ ଝିଅ ପ୍ରିୟା ଅନ୍ତିମ ସଂସ୍କାରର କ୍ରିୟା କାର୍ଯ୍ୟ କରିଥିବା ବେଳେ ଦୁଇ ଝିଅ ମିଶି ମୁଖାଗ୍ନି ଦେଇଛନ୍ତି । କଟକ କାଳିଆବୋଦା ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଶେଷକୃତ୍ୟ ସମ୍ମନ ସମୟରେ କଟକ ଜିଲ୍ଲାପାଳ, ବିଧାୟକ, ଡିସିପି, ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସହ ପରିବାର ସଦସ୍ୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ପ୍ରକାଶ ରାଓଙ୍କର ଦେହାନ୍ତ ହୋଇଥିଲା । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଗତ 24 ତାରିଖରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ ।

୨୦୧୯ ରେ ତାଙ୍କୁ ସମାଜ ସେବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଭାରତର ମହାମହିମ ରାଷ୍ଟ୍ରପତି । କଟକ ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ । ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ । ଏଥିପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଏହାସହ ସେ 200 ଥର ରକ୍ତ ଦାନ କରି ନିଜର ମହାନତାର ପରିଚୟ ପ୍ରଦାନ କରିଥିଲେ ।

Leave a Reply